ଭୁବନେଶ୍ୱର: ଟ୍ରାଫିକ୍ ନିୟମ ଦିନକୁ ଦିନ କଡାକଡି ହେବାରେ ଲାଗିଛି । ମାର୍ଚ୍ଚମାସଠାରୁ ପୁଣିଥରେ ନିୟମ କଡାକଡି ହେବ । ଏଥର ବାଇକ୍ ପଛରେ ବସିବା ଲୋକ ମଧ୍ୟ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ହେବ । ସେହିପରି କାରର ସବୁ ଯାତ୍ରୀ ସିଟ୍ ବେଲ୍ଟ ବାନ୍ଧିବା ମଧ୍ୟ ବାଧ୍ୟତାମୂଳକ ହେବ ।
ଏନେଇ ଦିଲ୍ଲୀ ସଡ଼କ ସୁରକ୍ଷା ବୈଠକରୁ ଫେରିବା ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ସେ କହିଛନ୍ତି, ତିନି ମାସର କଂଟ ପୂରିବା ପରେ ମାର୍ଚ୍ଚ ପହିଲାରୁ ଏହି ନିୟମ କାର୍ଯ୍ୟକାରୀ ହେବ।
ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଜୋରିମାନା କମାଇବା ଲାଗି ବୈଠକରେ କୌଣସି ନିଷ୍ପତି ହୋଇନି। ଏହା କେନ୍ଦ୍ରର ନିଷ୍ପତି। ଏଥିରେ ରାଜ୍ୟ ହସ୍ତକ୍ଷେପ କରି ପାରିବ ନାହିଁ। କେନ୍ଦ୍ର ସମ୍ମତି ଦେଲେ ଜୋରିମାନା କୋହଳ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ କିନ୍ତୁ ଏ ସମ୍ପର୍କରେ କୌଣସି ନିଷ୍ପତି ନିଆଯାଇ ନାହିଁ।
ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ପ୍ରତି ୩୦ କିଲୋମିଟର ମଧ୍ୟରେ ରହିବ ମୋବାଇଲ ସ୍କ୍ୱାଡ୍। ଏ ନେଇ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି । ଆର୍ଥିକ ସହାୟତା ମିଳିଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ।