ରାସ୍ତାରେ ଟ୍ରାଫିକ ପୁଲିସଙ୍କ କଣ୍ଢେଇ ହେଲେ ମୁତୟନ

ନିୟମ ଭାଙ୍ଗିଲେ କାଟିବେ ଚାଲାଣ

ବାଙ୍ଗାଲୋର: ସାଧାରଣ ଲୋକଙ୍କୁ ଟ୍ରାଫିକ ନିୟମ ପାଳନ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ଚେଷ୍ଟା କରାଯାଉଛି | ଏବେ ବାଙ୍ଗାଲୋର ଟ୍ରାଫିକ ପୁଲିସ ପକ୍ଷରୁ ଏକ ଭିନ୍ନ ବ୍ୟବସ୍ଥା ଆପଣାଯାଇଛି | ଯାହାଦ୍ୱାରା ଲୋକଙ୍କୁ ଆଇନର ଭୟ ରହିବ ଓ ସେମାନେ ଟ୍ରାଫିକ ନିୟମ ପାଳନ କରିବେ | ବାଙ୍ଗାଲୋରର ରାସ୍ତାରେ ଏବେ ଟ୍ରାଫିକ ପୁଲିସଙ୍କ ସହ ପୁଲିସଙ୍କ କଣ୍ଢେଇ ମଧ୍ୟ ଛିଡା ହୋଇ ରହିବେ | ଯାହାକି ଲୋକମାନଙ୍କୁ ଟ୍ରାଫିକ ନିୟମ ପାଳନ ପାଇଁ ପ୍ରେରଣା ମଧ୍ୟ ଦେବ |

ବାଙ୍ଗାଲୋର ପୁଲିସ ପକ୍ଷରୁ ସହରରେ ଏ ଯାଏଁ ୬୦ରୁ ଅଧିକ ପୁଲିସ କଣ୍ଢେଇ ଛିଡା କରାଯାଇଥିବାବେଳେ ୨୦୦ରୁ ଅଧିକ କଣ୍ଢେଇ ମୁତୟନ କରାଯିବ | ଏହାକୁ ନେଇ ଟ୍ରାଫିକ ପୁଲିସ କମିଶନର ରବିକାନ୍ତ ଗୌଡା କହିଛନ୍ତି ଯେ ଲୋକ ଛକମାନଙ୍କରେ ଟ୍ରାଫିକ ନିୟମ ଭାଙ୍ଗିଥାନ୍ତି | କିନ୍ତୁ ଛକ ସ୍ଥାନରେ ଯେତେବେଳେ କେହି ପୁଲିସ ଛିଡା ହୋଇଥାନ୍ତି ନିୟମ ଭାଙ୍ଗିବାକୁ ଲୋକ ଡରିଥାନ୍ତି | ସେଥିପାଇଁ ପୁଲିସ ଭଳି ଦିଶୁଥିବା ଏହି କଣ୍ଢେଇକୁ ମୁତୟନ କରାଯାଇଛି |

ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଏହି କଣ୍ଢେଇମାନଙ୍କରେ କ୍ୟାମେରା ମଧ୍ୟ ସଂଯୋଗ କରାଯିବ | ଯେଉଁ ଛକରେ ଟ୍ରାଫିକ ପୁଲିସ ନଥିବାବେଳେ କେହି ନିୟମ ଭାଙ୍ଗିବେ ସେମାନଙ୍କ ଫଟୋ ସ୍ୱୟଂକ୍ରିୟ ଭାବେ ଏହି କ୍ୟାମେରାରେ ଉଠିଯିବ | ଗାଡି ନମ୍ବରରୁ ନିୟମଭଙ୍ଗକାରୀଙ୍କର ଯାଞ୍ଚ କରାଯାଇ ଫାଇନ ଆଦାୟ କରାଯିବ |