ଚେନ୍ନାଇରେ ପହଁଚିଲେ ମୋଦୀ, ସି ଜିନପିଙ୍ଗଙ୍କୁ ସ୍ଵାଗତ କରିବାକୁ ପ୍ରସ୍ତୁତ ମହାବଳୀପୁରମ୍

ଚେନ୍ନାଇ:ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ବହୁ ମହତ୍ଵପୂର୍ଣ୍ଣ ବୈଠକ ହେବ। ଏଥିପାଇଁ ଆଜି ସକାଳ ୧୧ଟାରେ ମୋଦୀ ଚେନ୍ନାଇରେ ପହଁଚିଛନ୍ତି। ସେହି ସମୟରେ ସି ଜିନପିଙ୍ଗ୍ ବେଜିଙ୍ଗରୁ ବାହାରି ଯାଇଛନ୍ତି। ସେ ଦ୍ଵିପ୍ରହର ୨ଟାରେ ଚେନ୍ନାଇର ବିମାନ ବନ୍ଦରରେ ପହଁଚିବେ। ଏହାପରେ ସେଠାରୁ ଦୁଇ ପ୍ରମୁଖ ନେତା ସନ୍ଧ୍ୟା ୫ଟା ୩୦ରେ ମମଲ୍ଲାପୁରମ ଯିବେ। 

ନରେନ୍ଦ୍ର ମୋଦୀ ଚେନ୍ନାଇର ବିମାନ ବନ୍ଦରରେ ପହଁଚିବା ପରେ ତାଙ୍କୁ ତାମିଲନାଡୁର ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ, ମୁଖ୍ୟମନ୍ତ୍ରୀ ଈ ପଲନିସାମୀ, ଉପମୁଖ୍ୟମନ୍ତ୍ରୀ ଓ ପନ୍ନୀରସେଲ୍ଵିମ ସ୍ଵାଗତ କରିଥିଲେ। ଏହାପରେ ମୋଦୀ ଟ୍ଵିଟ୍ କରିଛନ୍ତି କି, ମୁଁ ଚେନ୍ନାଇରେ ପହଁଚି ସାରିଛି। ତାମିଲନାଡୁର ମହାନ ଭୂମିରେ ପହଁଚି ମୁଁ ଖୁସୀ ଅଛି। ତେବେ ଏହି ଶିଖର ବୈଠକ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ ହେବ ବୋଲି କୁହାଯାଉଛି। 

ବୁହାନ ପରେ ବ୍ୟାପାର, ଏଶିୟାନ ଦେଶ ସହ ପ୍ରସ୍ତାବିତ ଫ୍ରି ଟ୍ରେଡ୍, ସୀମା ବିବାଦ ଏବଂ ୫ଜି ଭଳି ପ୍ରମୁଖ ପ୍ରସଙ୍ଗରେ ମୋଦୀ ଏବଂ ଜିନିପିଙ୍ଗଙ୍କ ମଧ୍ୟରେ ଆଲୋଚନା ହେବ ବୋଲି କୁହାଯାଉଛି। ସେହି ସମୟରେ କାଶ୍ମୀର ପ୍ରସଙ୍ଗକୁ ବାରମ୍ବାର ଟଣା ଯାଉଥିବା ସତ୍ତ୍ଵେ ମଧ୍ୟ ଏହା ଅନ୍ତରୀଣ ମାମଲା ହୋଇଥିବା କାରଣରୁ ମୋଦୀ ଏହା ବିଷୟରେ ଅନ୍ୟ ଦେଶ ସହ କୌଣସି ଚର୍ଚ୍ଚା କରିବେ ନାହିଁ। 

ସେହି ସମୟରେ ଦକ୍ଷିଣ ଭାରତର ପ୍ରାଚୀନ ନଗର ମହାବଳୀପୁରମ (ମମଲ୍ଲାପୁରମ)ରେ ହେବାକୁ ଥିବା ମୋଦୀ-ଜିନପିଙ୍ଗଙ୍କ ସମ୍ମିଳନୀ ପୂର୍ବରୁ ସ୍ୱାଗତ ପାଇଁ ବଡ଼ ଆୟୋଜନ କରାଯାଇଛି । ଜିନପିଙ୍ଗ ଏଠାରେ ପହଞ୍ଚିବା ପରେ ତାଙ୍କୁ ପାରମ୍ପରିକ ଢଙ୍ଗରେ ଭବ୍ୟ ସ୍ୱାଗତ କରାଯିବ । ତାମିଲନାଡୁ ପୋଲିସ ଓ ଏସପିଜି ଯବାନମାନେ ମହାବଳୀପୁରମରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛନ୍ତି।