୧୫ରୁ ଚତୁର୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ

୧୩ଦିନ ଧରି ଆୟୋଜିତ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଚଳିତ ବର୍ଷ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୧୯ ଅନୁଷ୍ଠିତ ହେବାକୁ ଯାଉଛି । ଏହି ମେଳା ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହେବ । ଚଳିତମାସ ୧୫ ତାରିଖରୁ ଏହି ମେଳା ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ସାରା ଦେଶର ହସ୍ତଶିଳ୍ପ କାରିଗର, ବୁଣାକାର ଓ ସ୍ଥପତିକାରମାନେ ଅଂଶ୍ରଗ୍ରହଣ କରିବେ ଏବଂ ପାରମ୍ପରିକ ଓ ସମସାମୟିକ ହସ୍ତଶିଳ୍ପ, ହସ୍ତତନ୍ତ ଏବଂ ସ୍ଥପତିକାର ନିଜସ୍ୱ ପ୍ରସ୍ତୁତ ସାମଗ୍ରୀକୁ ପ୍ରଦର୍ଶିତ ହେବାର ବ୍ୟବସ୍ଥା କରାଯାଇଛି ।

ଚଳିତବର୍ଷ ଆୟୋଜିତ ହେବାକୁ ଥିବା ଏହି ମେଳାରେ ଉଭୟ ହସ୍ତଶିଳ୍ପ ଓ ହସ୍ତତନ୍ତ ନିର୍ମିତ ୩୮୦ ଗୋଟି ପ୍ରଦର୍ଶନ କକ୍ଷ ନିର୍ମାଣ କରାଯାଇଛି । ସେଥିମଧ୍ୟରୁ ବିଭିନ୍ନ ପ୍ରଦେଶର ୫୦ଜଣ ବୁଣାକାର ବିକାଶ ଆୟୁକ୍ତ(ହସ୍ତତନ୍ତ) ଭାରତ ସରକାରଙ୍କ ଦ୍ୱାରା ପ୍ରୟୋଜିତ ହୋଇଥିବା ସହିତ ରାଜ୍ୟର ପ୍ରାୟ ୧୫୦ଜଣ ହସ୍ତଶିଳ୍ପ କାରିଗର ଏବଂ ୮୦ଜଣ ବୁଣାକାରଙ୍କୁ ଯଥାକ୍ରମେ ରାଜ୍ୟ କୁଟୀର ଓ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଓଡ଼ିଶ।। ସରକାର ଏବଂ ରାଜ୍ୟ ହସ୍ତତନ୍ତ ନିର୍ଦ୍ଦେଶାଳୟ ଓଡ଼ିଶା ସରକାରଙ୍କ ତରଫରୁ ପ୍ରୟୋଜିତ ହୋଇଥାନ୍ତି । ଏହାବ୍ୟତୀତ ରାଜ୍ୟରେ ହସ୍ତଶିଳ୍ପ ଓ ହସ୍ତତନ୍ତ କ୍ଷେତ୍ରରେ କାର୍ଯ୍ୟରତ ବାରଗୋଟି ଅନୁଷ୍ଠାନ ସେମାନଙ୍କ କାର୍ଯ୍ୟାବଳୀର ପ୍ରଦର୍ଶନ କରିବାର ସୁଯୋଗ ଦିଆଯାଇଛି । ବିଭିନ୍ନ ପ୍ରକାର ପାରମ୍ପରିକ ଏବଂ ସମସାମୟିକ ଓଡ଼ିଆ ଖାଦ୍ୟର ପରିବେଷଣ ନିମନ୍ତେ ରାଜ୍ୟର ପ୍ରମୁଖ ହୋଟେଲ ଗୁଡିକୁ ସାମିଲ କରାଯାଇ ସେମାନଙ୍କ ନିମନ୍ତେ ୪୦ଗୋଟି କକ୍ଷ ବିଶିଷ୍ଟ ଏକ ଫୁଡ୍ କୋର୍ଟ ଆୟୋଜନ କରାଯାଇଛି ।

୧୩ଦିନ ବ୍ୟାପି ଚାଲିବାକୁ ଥିବା ଏହି ମେଳା ପ୍ରତ୍ୟହ ୧୧ଟାରୁ ଆରମ୍ଭ ହୋଇ ରାତି ୯.୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ଦିନ ସଂନ୍ଧ୍ୟା ୬ ଟାରୁ ରାତ୍ର ୯.୩୦ ପର୍ଯ୍ୟନ୍ତ ରାଜ୍ୟ ତଥା ଆନ୍ତରାଜ୍ୟ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଚଳିତବର୍ଷ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ ଅଛନ୍ତି ବଲିଉଡ ପ୍ରସିଦ୍ଧ ଗାୟିକା ପ୍ରତିଭା ସିଂ ଭାଗଲେ ଏବଂ ଗାୟକ ଅମତ ତିର୍ଖ ।

ଏହି ବର୍ଷ ମେଳାକୁ ପ୍ଲାଷ୍ଟିକ ମୁକ୍ତ ରଖିବା ପାଇଁ ପଦକ୍ଷେପ ନିଆଯାଇଛି । ଏହି ମେଳାର ବିଶେଷତା ଯେ, ମେଳାର ବିବରଣୀ ନେତ୍ରହୀନ ବ୍ୟକ୍ତିମାନଙ୍କ ଦ୍ୱାରା ବ୍ରେଲି ଅକ୍ଷରରେ ଛପାଯାଇ ବଂଟନ କରିବାର ବ୍ୟବସ୍ଥା କରାଯାଇଛି ।

ଏହି ମେଳା ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମନ୍ତ୍ରୀ ୧୫ ତାରିଖ ସଂନ୍ଧ୍ୟା ୬ଟାରେ ଉଦଘାଟନ କରାଇବେ । ଉକ୍ତ ଉତ୍ସବରେ ୨୦୧୯ ମସିହା ନିମିତ କୃତି ହସ୍ତଶିଳ୍ପ କାରିଗରମାନଙ୍କୁ ଜୀବନବ୍ୟାପୀ ହସ୍ତଶିଳ୍ପ ପୁରସ୍କାର ଓ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମ ନିମନ୍ତେ ୩.୫୯କୋଟି  ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ବ୍ୟବସ୍ଥା କରିଛନ୍ତି ।

ଏହି ମେଳା ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବୀଭାଗ ସହିତ ବିକାଶ ଆୟୁକ୍ତ(ହସ୍ତଶିଳ୍ପ) ଓ ବିକାଶ ଆୟୁକ୍ତ(ହସ୍ତତନ୍ତ), ଭାରତ ସରକାରଙ୍କ ହସ୍ତତନ୍ତ ମନ୍ତ୍ରାଳୟର ସହଭାଗିତାରେ ଅନୁଷ୍ଠିତ କରାଯାଉଛି । ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ କାର୍ଯ୍ୟରତ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ) ତରଫରୁ ଏହି ଜାତୀୟ ମେଳାର ନମୁନା ପରିକଳ୍ପନା ଓ ପ୍ରୟୋଜନା କରାଯାଉଅଛି ।

ଏନେଇ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ନିତିନ୍ ଚନ୍ଦ୍ର, ସ୍ୱତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି, ହସ୍ତଶିଳ୍ପ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ବସନ୍ତ ଦାସ, ବିଭାଗୀୟ ଅତିରିକ୍ତ ସଚିବ ଶ୍ରୀ ବୃନ୍ଦାବନ ବେହେରା, ଯୁଗ୍ମସଚିବ ଶ୍ରୀମତୀ ଅଞ୍ଜନା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକମାନଙ୍କର ପ୍ରଶ୍ନୋତର ଦେଇଥିଲେ ।