ପୋଲିସ ନିକଟରେ ଆତ୍ମସମର୍ପଣ କଲା ମାଓ ନେତା ଜିପ୍ରୋ

ମୁଣ୍ଡ ଉପରେ ଥିଲା ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି

ମାଲକାନଗିରି: ପୋଲିସ ନିକଟରେ ଆତ୍ମସମର୍ପଣ କଲା ଟପ୍ ମାଓ ନେତା ଜିପ୍ରୋ ହିକ୍‌କା । ଉପାନ୍ତରେ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକୁ ଦେଖି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ନେଇ ସୂଚନା ଦେଇଛନ୍ତି ମାଲକାନଗିରି ଏସପି ।

ଗତ ୨୫ ତାରିଖରେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ସ୍ବାଭିମାନ ଅଂଚଳର ଯୋଡାମ୍ବ ଗାଁରେ ପ୍ରଥମଥର ପାଇଁ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟରେ ବିରୋଧ କରିବାରୁ ମୁହାଁମୁହିଁ ହୋଇଥିଲେ ମାଓବାଦୀ ଓ ଲୋକେ । ଆଦିବାସୀଙ୍କ ଧନୁତୀର ଆଗରେ ଆଗରେ ହାର ମାନିଥିଲା ବନ୍ଧୁକ । ଆଦିବାସୀ ଲୋକଙ୍କ ମାଡରେ ଜଣେ ମାଓବାଦୀ ନିହତ ହୋଇଥିବା ବେଳେ ଗୁରୁତର ହୋଇଥିଲେ ଜିପ୍ରୋ । ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଇଥିଲା ।

ତେବେ ଏହାପରେ ଜିପ୍ରୋ ନିଜେ ପୋଲିସ ନିକଟରେ ଆତ୍ମସମର୍ପଣ ପାଇଁ ମାଲକାନଗିରି ଏସପିଙ୍କୁ ଅନୁରୋଧ କରିବା ପରେ ବୁଧବାର ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ଜିପ୍ରୋ ଦୀର୍ଘଦିନ ଧରି ମାଓବାଦୀ ଦଳରେ କାର୍ଯ୍ୟ କରିବା ସହ ବର୍ତମାନ ସେ ଆନ୍ଧ୍ର ଓଡିଶା ବୋର୍ଡର ଜୋନାଲ ମାଓ କମିଟି ତଥା ଏମ.କେ.ବି.ଭି ମାଓ ଡିଭିଜନରେ ଏସିଏମ ତଥା ଏରିଆ କମାଣ୍ଡର ରୂପେ କାର୍ଯ୍ୟ କରୁଥିଲା ।

ସେ ପୂର୍ବରୁ ଅନେକ ହିଂସାକାଣ୍ଡରେ ଜଡିତ ଥିଲା । ଏପରିକି ଆନ୍ଧ୍ରପ୍ରଦେଶର ବିଧାୟକ ହତ୍ୟାକାଣ୍ଡରେ ମଧ୍ୟ ସାମିଲ ଥିଲା। ତାକୁ ଧରିବା ପୋଲିସ ୪ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା । ଆତ୍ମସମର୍ପଣ ପରେ ଓଡିଶା ସରକାରଙ୍କ ନିୟମ ଅନୁଯାୟୀ ତାଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ମାଲକାନଗିରି ଏସପି ।

ଏହାସହ ମଙ୍ଗଳବାର ସ୍ବାଭିମାନ ଅଂଚଳରେ ମାଓବାଦୀ ପ୍ରଜାକୋର୍ଟ କରି ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଥିବା ଘଟଣାର ସତ୍ୟତା ବର୍ତମାନ ପର୍ଯ୍ୟନ୍ତ ଜଣାପଡି ନଥିବା ବେଳେ ଏହାର ତଦନ୍ତ ମାଲକାନଗିରି ପୋଲିସ କରୁଥିବା ଏସପି କହିଛନ୍ତି ।