ଜନ୍ମଦିନ ପାଳିବେନି ନବୀନ

ଭୁବନେଶ୍ୱର: ଚଳିତବର୍ଷ ଫନି ବାତ୍ୟା ରାଜ୍ୟର ବିପୁଳ କ୍ଷତି କରିଛି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ହେବାକୁ ଥିବା ଜନ୍ମଦିନ ପାଳନ ନ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତି ନେଇଛନ୍ତି । ଏହି ଅବସରରେ ସେ ନିଜ ଶୁଭେଚ୍ଛୁମାନଙ୍କୁ ,ଭଳି କିଛି କାମ କରିବାକୁ କହିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶାବାସୀ ହେଉଛନ୍ତି ମୋର ପରିବାର । ଓଡ଼ିଶାବାସୀଙ୍କ ସ୍ନେହ ଓ ଭଲପାଇବା ମୋତେ ଋଣୀ କରିଛି । ଆପଣମାନଙ୍କ ଆଶୀର୍ବାଦ ହିଁ ମୋର ସବୁଠାରୁ ବଡ଼ ପ୍ରେରଣା । ମୋର ଜନ୍ମଦିନ ଅବସରରେ ରାଜ୍ୟରେ ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଦଳର କର୍ମୀ ଭାଇଭଉଣୀ ଏବଂ ଶୁଭେଚ୍ଛୁ ମାନଙ୍କୁ ମୁଁ ନିବେଦନ କରୁଛି ଯେ ମୋତେ ଜନ୍ମଦିନ ଶୁଭେଚ୍ଛା ଜଣାଇବା ପାଇଁ ଭୁବନେଶ୍ୱରସ୍ଥିତ ନବୀନ ନିବାସ ଆସିବା ପରିବର୍ତେ ନିକଟସ୍ଥ ଅନାଥାଶ୍ରମ ଓ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଥିବା ସ୍କୁଲକୁ ଯାଆନ୍ତୁ ଏବଂ ସେମାନଙ୍କ ଭଲ ପାଇଁ କିଛି କାମ କରନ୍ତୁ ।

କେବଳ ମୋର ଜନ୍ମଦିନ ନୁହେଁ, ଆପଣଙ୍କ ଜୀବନୀ ସବୁ ସ୍ମରଣୀୟ ଦିନ ଯେପରିକି ଆପଣଙ୍କ ଜନ୍ମଦିନ, ଆପଣଙ୍କ ପିଲାମାନଙ୍କ ଜନ୍ମଦିନ, ବିବାହ ବାର୍ଷିକୀ ଆଦି ମାନଙ୍କରେ ଏହି ପିଲାମାନଙ୍କ ପାଖକୁ ଯାଆନ୍ତୁ ଓ ସେମାନଙ୍କ ପାଇଁ କିଛି କରନ୍ତୁ । ଯେତେବେଳେ ଆପଣ ଅନାଥାଶ୍ରମ ବା ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ବିଦ୍ୟାଳୟକୁ ଯାଉଛନ୍ତି, ସେତେବେଳେ ଆପଣ ଆପଣଙ୍କ ପରିବାକୁ ଓ ପିଲାମାନଙ୍କୁ ସାଥିରେ ନେଇ ଯାଆନ୍ତୁ ବୋଲି ସମସ୍ତଙ୍କୁ ନିଜେ ମୁଖ୍ୟମନ୍ତ୍ରୀ କହିଛନ୍ତି । କାରଣ ପିଲାମାନେ ହେଉଛନ୍ତି ଆମର ଭବିଷ୍ୟତ । ତେଣୁ ସେମାନଙ୍କ ଭଲ ପାଇଁ ଆପଣ ଯାହା କିଛି କରିବେ, ତାହା ମୋତେ ସବୁଠାରୁ ଅଧିକ ଆନନ୍ଦ ଦେବ ବୋଲି କହିଛନ୍ତି ।