ବସ୍ ମାଲିକ ସଂଘର ନିଷ୍ପତି: ଗ୍ରୀନ ଓ ଅରେଞ୍ଜ ଜୋନରେ ଆସନ୍ତାକାଲି ଗଡିବ ନାହିଁ ବସ୍

ଭୁବନେଶ୍ୱର: ଆସନ୍ତାକାଲି ଗ୍ରୀନ୍ ଓ ଅରେଞ୍ଜ ଜୋନରେ ବସ୍ ଗଡିବ ନାହିଁ । ଏନେଇ ବସ୍ ମାଲିକ ସଂଘ ପକ୍ଷରୁ ନିଷ୍ପତି ନିଆଯାଇଛି । ଗ୍ରୀନ୍ ଓ ଅରେଞ୍ଜ ଜୋନରେ ବସ୍ ଚଳାଚଳ ନେଇ ଆଜି ବସ୍ ମାଲିକ ସଂଘ ପକ୍ଷରୁ ବୈଠକ ବସିଥିଲେ । ଏହି ବୈଠକରେ ଗ୍ରୀନ୍ ଓ ଅରେଞ୍ଜ ଜୋନରେ ଗାଡି ଚାଲିବ କି ନାହିଁ ସେ ନେଇ ନିଷ୍ପତି ହୋଇଛି । ସରକାରଙ୍କ ଗାଇଡଲାଇନ୍ ଅନୁସାରେ ଗାଡି ଚଳାଇବା ସମ୍ଭବ ନଥିବାବେଳେ ୫୦ % ଯାତ୍ରୀଙ୍କୁ ନେଇ ବସ୍ ଚଳାଇବା ସମ୍ଭବ ନୁହଁ ବୋଲି ଘରୋଇ ବସ୍ ମାଲିକ ସଂଘ ବୈଠକରେ ନିଷ୍ପତି ନିଆଯାଇଛି |

ବୈଠକର ନିଷ୍ପତି ବାବଦରେ ଘରୋଇ ବସ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ ଗ୍ରୀନ ଜୋନ ଓ ଅରେଞ୍ଜ ଜୋନ ମଧ୍ୟରେ ରେଡ ଜୋନ ଜିଲ୍ଲା ଆସୁଥିବାରୁ ବସ ଚାଲିପାରିବ ନାହିଁ | ରାଜ୍ୟ ଘରୋଇ ବସ୍ ମାଲିକ୍ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି ‌ଯେ ସରକାରଙ୍କ ନୂଆ ନିୟମ ଅନୁସାରେ ବସ୍‌ ରୁଟ୍‌ ଚଳାଚଳ ନେଇ ସମସ୍ୟା ସୃଷ୍ଟି ହେବ। ୫୦ ସିଟ୍‌ ବିଶିଷ୍ଟ ଗୋଟିଏ ବସ୍‌ରେ ୨୫ଜଣ ଯାତ୍ରୀଙ୍କୁ ନେବାର ନିୟମ ରହିଛି।

ତେବେ ଯେଉଁ ରୁଟ୍‌ରେ ଏହି ବସ୍‌ଟି ଯିବ ସେସବୁ ଅଂଚଳରେ ଅପେକ୍ଷାରତ ଯାତ୍ରୀମାନେ ବସ୍‌‌ରେ ଯିବା ପାଇଁ ଚାହିଁବେ। ଏହାକୁ ବିରୋଧ କଲେ ସେଠାରେ ଗଣ୍ଡଗୋଳ ସୃଷ୍ଟି ହେବାର ଆଶଙ୍କା ରହିଛି। ସ୍ଥାନୀୟ ଲୋକଙ୍କ ଚାପରେ ଅଧିକ ସଂଖ୍ୟାରେ ଯାତ୍ରୀ ଆଣିଲେ ଚେକିଂ ସମୟରେ ଧରାପଡ଼ିବା ସହିତ ଜରିମାନା ମଧ୍ୟ ଭରିବାକୁ ହେବ। ମାତ୍ର ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଚଳାଇବା ସମ୍ଭବ ନୁହେଁ ବୋଲି କହିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଏତିକି ଯାତ୍ରୀରେ ବସ୍‌ର ତେଲ ଖର୍ଚ୍ଚ ଉଠିବନି ବୋଲି ସଂଘ ପକ୍ଷରୁ କୁହାଯାଇଛି।