ଆଜି ବଡ଼ଦିନ

ଭୁବନେଶ୍ୱର: ଆଜି ବଡଦିନ । ଏନେଇ ରାଜ୍ୟର ସମସ୍ତ ଚର୍ଚ୍ଚରେ ଗତକାଲି ରାତିରୁ ଆରମ୍ଭ ହୋଇଯାଇଛି ଉତ୍ସବ ।

ବଡ଼ଦିନର ଏହି ପର୍ବକୁ ଜାକଜମକରେ ପାଳନ କରିବା ପାଇଁ ସତ୍ୟନଗରସ୍ଥିତ ‘ଭିନସେଂଟ କ୍ୟାଥଲିକ୍‌ ଚର୍ଚ୍ଚ’ରେ ଜମିଥିଲା ଅସମ୍ଭାଳ ଭିଡ଼। ରାତି ପ୍ରାୟ ୧୦ଟାରୁ ଆରମ୍ଭ ହୋଇଥିଲା ସମବେତ କାରୋଲ୍‌ ଗାନ। ରାତି ୧୧ଟାରୁ ଆରମ୍ଭ ହୋଇଥିଲା ମହାଜାଗରଣି ଦିବ୍ୟଯଜ୍ଞ ଓ ପୂଜାପାଠ। ରାତି ପ୍ରାୟ ସାଢ଼େ ୩ଟା‌ରେ ସରିଥିଲା ଏହି ପର୍ବ। ସେହିଭଳି ୟୁନିଟ୍‌-୪ସ୍ଥିତ ଖ୍ରୀଷ୍ଟ ଚର୍ଚ୍ଚ ତଥା ୟୁନିୟନ୍‌ ଚର୍ଚ୍ଚରେ ମଧ୍ୟ ରାତି ସାଢ଼େ ୧୦ଟାରୁ ମଧ୍ୟରାତ୍ରି ପ୍ରାର୍ଥନା ହୋଇଥିଲା। ଓଡ଼ିଆ ଓ ଇଂରାଜୀରେ ସଂଗୀତ ଦଳ ପ୍ରାର୍ଥନା ପରିବେଷଣ କରିଥିଲେ। ପରେ ବାଇବେଲ୍‌ ପାଠ ଓ ପ୍ରାର୍ଥନା କରାଯାଇଥିଲା। ମଦର ମେରିଙ୍କୁ ସ୍ମରଣ କରି ଶ୍ରଦ୍ଧାଳୁମାନେ ମହମବତି ଜାଳିଥିଲେ। ଉତ୍ସବର ଏହି ମହାଆସରରେ ବିଳମ୍ବିତ ରାତି ଯାଏଁ ସାମିଲ୍‌ ହୋଇଥିଲେ ହଜାର ହଜାର ଶ୍ରଦ୍ଧାଳୁ।

ଏତେସଂଖ୍ୟକ ଭିଡ଼କୁ ସମ୍ଭାଳିବା ତଥା ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ରାଜଧାନୀର ବିଭିନ୍ନ ଚର୍ଚ୍ଚରେ ୫ ପ୍ଲାଟୁନ୍‌ ପୋଲିସ ମୁତୟନ ହୋଇଥିଲେ ବୋଲି କହିଛନ୍ତି ଭୁବନେଶ୍ୱର କମିସନରେଟ୍‌ ପୁଲିସ୍‌ ଡିସିପି ଅନୁପ ସାହୁ।