ଆଜି ପ୍ରଥମାଷ୍ଟମୀ

ପୁରୀ:ଆଜି ପ୍ରଥମାଷ୍ଟମୀ । ଏହି ଅବସରରେ ଓଡ଼ିଆ ଘରର ବଡ଼ ପୁଅ କିମ୍ବା ଝିଅଙ୍କୁ ପୂଜାର୍ଚ୍ଚନା କରିବା ସହ ନୂଆ ବସ୍ତ୍ର ପିନ୍ଧିବାର ପରମ୍ପରା ରହିଛି। ଏଥିଲାଗି ଚଳଚଞ୍ଚଳ ହୋଇ ଉଠିଛି ଗାଁଠାରୁ ସହର। ଘରେ ଘରେ ହଳଦି ପତ୍ର ପିଠା ପ୍ରସ୍ତୁତି ଚାଲିଛି। ଆଜିର ଦିନରେ ପଢୁଆଁ ହେବେ ପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ ଭାଇ ବଳଭଦ୍ର । ସେଥିପାଇଁ ଶ୍ରୀମନ୍ଦିରରରେ ସ୍ୱତନ୍ତ୍ର ରୀତିନୀତି ମଧ୍ୟ କରାଯାଉଛି । ମାମୁଁ ଘର ମାନବାନନ୍ଦ ମନ୍ଦିରରୁ ଭଣଜା ନିକଟକୁ ପଢୁଆଁ ଭାର ପଠାଯାଇଛି । 

ପ୍ରଥମାଷ୍ଟମୀରେ ବିଧି ରହିଛି ମାମୁଁ ଘରୁ ପଢୁଆଁ ଭାର ଆସେ । ତେଣୁ ଅରୁଆ ଚାଉଳ, ବିରି, ଖଣ୍ଡୁଆ ପାଟ, ନଡ଼ିଆ ଓ ତୁଳସୀ ଆଦି ନିଆଳିସ୍ଥିତ ମାମୁଁ ଘର ମାନବାନନ୍ଦ ମନ୍ଦିରରୁ ଶ୍ରୀମନ୍ଦିରକୁୁ ପଢୁଆଁ ଭାର ଆସିଛି । ପଢୁଆଁ ଭାର ପଠାଯିବା ବେଳେ ଘଣ୍ଟ, ଶଙ୍ଖ, ମୃଦଙ୍ଗ,ଭଜନ ଓ ନୃତ୍ୟରେ ଉଚ୍ଛୁଳ ପଡ଼ିଛିି ମାମୁଁ ଘର ଠାରୁ ବଡ଼ଦାଣ୍ଡ ଯାଏଁ । ଚତୁର୍ଦ୍ଧା ମୂର୍ତ୍ତିଙ୍କ ପାଇଁ ମାମୁଁ ଘର ତରଫରୁ ଆସିଛି ନୂଆ ବସ୍ତ୍ର । 

ପୂର୍ବରୁ ପ୍ରଥମାଷ୍ଟମୀରରେ ମାମୁଁ ଘର ତରଫରୁ ଶ୍ରୀମନ୍ଦିରକୁ ପଢୁଆଁ ଭାର ଆସୁଥିଲା । ମଝିରେ କିିଛି ଦିନ ଏହା ବନ୍ଦ ହୋଇଯାଇଥିଲା । କିନ୍ତୁ ବର୍ତ୍ତମାନ ପୁଣି ମାଧବାନନ୍ଦ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏହି ପରମ୍ପରାକୁ ଉଜ୍ଜିବୀତ କରଯାଇଛି । ସେହିପରି ପ୍ରତ୍ୟେକ ଘରେ ମଧ୍ୟ ପ୍ରଥମାଷ୍ଟମୀ ପାଇଁ ମାମୁଁ ଘରୁ ନୂଆ ବସ୍ତ୍ର ଆସେ ଓ ପିଲାଙ୍କୁ ଖିରି, ପିଠା କରି ପୂଜା କରାଯିବା ବିଧି ରହିଛି ।