ରଜ ପାଇଁ ଆଜି ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲା

ଭୁବନେଶ୍ୱର: ଆସୁଛି ଓଡ଼ିଆଙ୍କ ବଡ଼ ପର୍ବ ରଜ । ଦିନକ ପରେ ଅର୍ଥାତ ରବିବାରଠାରୁ ଆରମ୍ଭ ହେବ ରଜ ପର୍ବ । ତେବେ ଏହି ପର୍ବକୁ ସତର୍କତା ସହ ପାଳନ ପାଇଁ ପରାମର୍ଶ ଦେଇଛନ୍ତି ସରକାର । ରଜ କେମିତି ପାଳନ କରିବେ ସେଥିପାଇଁ ପରାମର୍ଶ ଦେବାକୁ ସ୍ୱତନ୍ତ୍ର ଭାବେ ସରକାରଙ୍କ ତରଫରୁ ପ୍ରେସମିଟ୍ ଡକାଯାଇଥିଲା । ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ରଜ ପାଳନ ନେଇ କଟକଣା ଲଗାଇଛି ପ୍ରଶାସନ ।

ଏପଟେ ଭୁବନେଶ୍ୱରରେ ଭିଡ଼କୁ ଦେଖି ଶୁକ୍ରବାର ରାତି ୧୦ ଟା ପର୍ଯ୍ୟନ୍ତ କର୍ଫ୍ୟୁକୁ କୋହଳ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଆଜି ସଂଧ୍ୟା ୭ଟାରୁ କର୍ଫ୍ୟୁ ଜାରି ହେବ ନାହିଁ । ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ଦୋକାନରେ କିଣିକିଣି ସମୟରେ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦେଶ ଦିଆଯାଇଛି । ଆଜି ରାତି ୧୦ଟାରୁ ସକାଳ ୫ଟା ଯାଏଁ ରାତ୍ରି କାଳୀନ କର୍ଫ୍ୟୁ ଲାଗିବ।

ରବିବାର ପହିଲି ରଜ ଥିବା ବେଳେ ଶନିବାର ଓ ରବିବାର ସଟ୍ ଡାଉନ୍ ରହିବ । ତେଣୁ ଆଜି ସଂଧ୍ୟାର କର୍ଫ୍ୟୁ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସେପଟେ ରଜ ଉତ୍ସବକୁ ଦୃଷ୍ଟିରେ ରଖି କରୋନା ପାଇଁ ଉଗ୍ରତାର ପୀଠ ଓ ବରୁଣେଇ ମନ୍ଦିରରେ ଲାଗିବ ୧୪୪ ଧାରା । ୧୪ ତାରିଖରୁ ୨୦ ତାରିଖ ଯାଏଁ ପ୍ରତିବର୍ଷ ସେଠାରେ ରଜ ଉତ୍ସବ ପାଳନ କରାଯାଏ । ଅଧିକ ଜନସମାଗମ ହେବାର ସମ୍ଭାବନା ଥିବାରୁ ଏଠାରେ ୭ ଦିନ ଧରି ୧୪୪ ଧାରା ଜାରି କରାଯିବ । ଏହି ସମୟରେ କୌଣସି ପ୍ରକାର ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବନି । ସେହିପରି କେନ୍ଦୁଝରରେ ରଜ ପର୍ବ ପାଳନ ପାଇଁ ହେଉଥିବା ସମସ୍ତ ପ୍ରକାର ମେଳା, ମହୋତ୍ସବ ଓ ଦୋଳି ଖେଳ ଉପରେ ରୋକ୍ ଲଗାଇଛି ଜିଲ୍ଲା ପ୍ରଶାସନ ।