ଆଜି କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା

ଭୁବନେଶ୍ୱର:ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା ବା କୁମାରୋତ୍ସବ । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବଟି ପାଳିତ ହୁଏ । ସେହିପରି ଆଜିର ଦିନରେ ମା’ ମହାଲକ୍ଷ୍ମୀ ଦେବୀଙ୍କର ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ । ଓଡ଼ିଶାର ଘରେ ଘରେ ଝିଅମାନେ କୁମାର ପୂର୍ଣ୍ଣିମା ପାଳନ କରୁଛନ୍ତି । ସେହିପରି ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି ମା’ ଗଜଳକ୍ଷ୍ମୀ ।

ଏହି ଦିନ କୁମାରୀ ଝିଅମାନେ ତୁଳସୀ ଚଉରା ମୂଳରେ ପୂଜା କରନ୍ତି । କୁମାରୀ କନ୍ୟାମାନେ କାର୍ତ୍ତିକେୟଙ୍କ ଭଳି ସୁନ୍ଦର ଜୀବନସାଥୀ ପାଇବା ପାଇଁ କରିଥାନ୍ତି । ସକାଳୁ ସକାଳୁ ଗାଧୋଇ ନୂଆ ବସ୍ତ୍ର ପରିଧାନ କରି ଆଞ୍ଜୁଳାରେ ସାତ ପ୍ରକାରର ଫଳ ନେଇ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି । ଏହି ବିଧିକୁ ଆଞ୍ଜୁଳା ଟେକା ବିଧି କୁହାଯାଏ ।  ଏହା ସ‌ହ ସେମାନେ ସନ୍ଧ୍ୟା ସମୟରେ ଚନ୍ଦ୍ର ପୂଜା କରନ୍ତି । ତୁଳସୀ ଚଉରା ଆଗରେ ପୂଜା ଓ ବନ୍ଦାପନା ହୋଇଥାଏ । ଭୋଗ ପାଇଁ ଖଇ, ନଡ଼ିଆ, କଦଳୀ, ଛେନା, ଦ‌ହି, କ୍ଷୀର, କାକୁଡ଼ି, ତାଳସଜ, ମହୁ, ଅଦା, ଘିଅ, ଆଖୁ, ଗଜା ମୁଗ, ସେଓ, ଚିନି ଇତ୍ୟାଦି ପଡ଼ି ଏକ ଚକଟା ପ୍ରସ୍ତୁତ କରାଯାଇଥାଏ । ସେହି ଚକଟାରେ ଚାନ୍ଦ ତିଆରି କରାଯାଇଥାଏ । ପୁରାଣରେ କଥିତ ଅଛି ଯେ ତୁଳସୀ ଦେବୀ ଜଣେ ପରମ ପତିବ୍ରତା ନାରୀ ଥିଲେ । ତାଙ୍କର ପତିବ୍ରତା ଗୁଣ ଯୋଗୁଁ ହିଁ ତାଙ୍କୁ ବୃକ୍ଷ ରୂପରେ ପୂଜା ପାଇବାର ବର ମିଳିଥିଲା । ଯୁଗେ ଯୁଗେ କୁମାରୀମାନେ ଉତ୍ତମ ବର ପାଇବା ପାଇଁ ଓ ବିବାହିତା ନାରୀମାନେ ନିଜ ସ୍ୱାମୀଙ୍କ ସୁଖ ସମୃଦ୍ଧି ପାଇଁ ଚଉରା ପୂଜା କରି ଆସିଛନ୍ତି । ତେଣୁ କୁମାର ପୂର୍ଣିମାରେ ମଧ୍ୟ ଚଉରା ପୂଜା କରାଯାଇଥାଏ ।

ସେହିପରି ଭଗବାନ ଶିବଙ୍କର ପୁଅ କାର୍ତ୍ତିକେୟ ଈଶ୍ୱରମାନଙ୍କ ମଧ୍ୟରେ ସବୁଠାରୁ ସୁନ୍ଦର ବୋଲି ପୁରାଣରେ କଥିତ ଅଛି । ସେ ଏହି ଦିନ ତାଡ଼କାସୁର ସ‌ହିତ ଯୁଦ୍ଧ ଆରମ୍ଭ କରିଥିଲେ । ତାଡ଼କାସୁରକୁ ପରାଜିତ କରିଥିବାରୁ ତାଙ୍କୁ ଯୁଦ୍ଧର ଦେବତା ଭାବେ ମଧ୍ୟ ଜଣାଯାଏ । ତେବେ ଏହି ପର୍ବରେ କାର୍ତ୍ତିକେୟଙ୍କ ପାଇଁ କୌଣସି ବିଶେଷ ପୂଜା ବିଧି ନାହିଁ ।