ଆଜି ଶପଥ ନେବେ ଖଟ୍ଟର, ଦୁଶ୍ୟନ୍ତ ହେବେ ଉପମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼: ହରିୟାଣାରେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ମନୋହରଲାଲ ଖଟ୍ଟର ଆସନ୍ତାକାଲି ଅପରାହ୍ନରେ ଶପଥ ଗ୍ରହଣ କରିବେ। ଉପ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ମଧ୍ୟ ପରିସମାପ୍ତି ଘଟିଛି। ଜନନାୟକ ଜନତା ପାର୍ଟି (ଜେଜେପି)ର ସଭାପତି ଦୁଶ୍ୟନ୍ତ ଚୌତାଲା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଚୂଡ଼ାନ୍ତ ହୋଇଛି। ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ଭେଟି ରାଜ୍ୟରେ ବିଜେପି-ଜେଜେପିର ମିଳିତ ସରକାର ଗଠନ ପାଇଁ ଆଜି ଖଟ୍ଟର ଦାବି ଉପସ୍ଥାପନ କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ ବିଜେପିର ହରିୟାଣା ମୁଖ୍ୟ ସୁଭାଷ ବରାଳ ମଧ୍ୟ ଉପସ୍ଥିତ ଥିଲେ। ରାଜ୍ୟପାଳଙ୍କୁ ଭେଟିବା ପରେ ଖଟ୍ଟର କହିଛନ୍ତି ଯେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ ହେବ ଏବଂ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନଙ୍କ ଶପଥ ଗ୍ରହଣ ଦୀପାବଳି ‌ପରେ ହେବ।

ଖଟ୍ଟର କହିଛନ୍ତି, ମୋଟ ୫୭ ଜଣ ବିଧାୟକ (ବିଜେପି-୪୦, ଜେଜେପି-୧୦, ସ୍ବାଧୀନ-୭)ଙ୍କ ସମର୍ଥନ ନେଇ ସେ ସରକାର ଗଠନ କରିବାକୁ ଯାଉଛନ୍ତି। ସ୍ବାଧୀନ ବିଧାୟକମାନଙ୍କୁ ମଧ୍ୟ ଆଜି ଖଟ୍ଟରଙ୍କ ସହ ଦେଖିବାକୁ ମିଳିଥିଲା। ୭ ଜଣ ସ୍ବାଧୀନ ବିଧାୟକ ନିଃସର୍ତ୍ତ ସମର୍ଥନ ଦେବାପାଇଁ ଗତକାଲି ଘୋଷଣା କରିଥିଲେ। ରାଜ୍ୟପାଳଙ୍କୁ ଭେଟିବା ପୂର୍ବରୁ ଆଜି ଖଟ୍ଟର ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହୋଇଥିଲେ। ବିଜେପି ଆଜି ସ୍ପଷ୍ଟ କରିଛି ଯେ ବିଜେପି-ଜେଜେପି ମିଳିତ ସରକାରରେ କେବଳ ଜଣେ ହିଁ ଉପମୁଖ୍ୟମନ୍ତ୍ରୀ ରହିବେ। ଦୁଶ୍ୟନ୍ତଙ୍କ ବଦଳରେ ତାଙ୍କ ମା’ ନୈନା ଚୌତାଲାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ପାଇଁ କେତେକ ପ୍ରସ୍ତାବ ଉପରେ ମଧ୍ୟ ଆଜି ଜେଜେପି ବିଧାୟକ ଦଳ ବୈଠକରେ ଆଲୋଚନା ହୋଇଥିଲା। କିନ୍ତୁ ଶେଷରେ ଦୁଶ୍ୟନ୍ତଙ୍କ ନାମ ହିଁ ଚୂଡ଼ାନ୍ତ ହୋଇଥିଲା।