ଆଜି ଶପଥ ନେବେ ହାଇକୋର୍ଟର ନୂଆ ବିଚାରପତି

କଟକ: ଓଡିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ସଞ୍ଜୀବ କୁମାର ପାଣିଗ୍ରାହୀ ଆଜି ଶପଥ ଗ୍ରହଣ କରିବେ । ହାଇକୋର୍ଟର ପୁରୁଣା କୋଠରୀରେ ଥିବା ନୂତନ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଶ୍ରୀ ପାଣିଗ୍ରାହୀଙ୍କୁ ଶପଥ ପାଠ କରାଇବେ । ଅପରାହ୍ନ ୨ଟାରେ ହେବ ଶପଥ ଗ୍ରହଣ ଉତ୍ସବ ।

ମହାମହିମ ରାଷ୍ଟ୍ରପତି ସଞ୍ଜୀବ ପାଣିଗ୍ରାହୀଙ୍କୁ ଓଡିଶା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ଜଷ୍ଟିସ ପାଣିଗ୍ରାହୀଙ୍କ ନିଯୁକ୍ତି ପରେ ହାଇକୋର୍ଟର ବିଚାରପତି ସଂଖ୍ୟା ୧୪ରେ ପହଞ୍ଚିଛି । ବଲାଙ୍ଗୀର ସଦର ବାରପୁଡୁଗିଆ ଗାଁରେ ନିମାଇଁ ଚରଣ ପାଣିଗ୍ରାହୀ ଓ ମନ୍ଦାକିନୀ ପାଣିଗ୍ରାହୀଙ୍କ ପ୍ରଥମ ସନ୍ତାନ ସଞ୍ଜୀବ । ବାରପୁଡୁଗିଆ ଓ ଖୁଂଟପାଲିରୁ ପ୍ରାଥମିକ ଶିକ୍ଷା ପରେ ବଲାଙ୍ଗୀର ପୃଥୀରାଜ ହାଇସ୍କୁଲରେ ଶିକ୍ଷା ଲାଭ କରିଥିଲେ। ଏହାପରେ ସେ ରାଜେନ୍ଦ୍ର କଲେଜରେ ସ୍ନାତକ ଶିକ୍ଷା ଶେଷ ପରେ ବେଙ୍ଗାଲୁରୁ ଜାତୀୟ ବିଶ୍ବବିଦ୍ୟାଳୟରୁ ଏଲଏଲବି ଓ ଏଲଏଲଏମ ଡ୍ରିଗୀ ହାସଲ କରିଛନ୍ତି ।

କଟକ ଜାତୀୟ ଆଇନ ବିଶ୍ବଦ୍ୟାଳୟରେ ଜଷ୍ଟିସ ପାଣିଗ୍ରାହୀ ନିକଟରେ ତାଙ୍କର ପିଏଚଡି ଥେସିସ ପେପର ଦାଖଲ କରିଥିବା ଜଣାପଡିଛି । ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ନାମ ପଞ୍ଜିକରଣ ପରେ ୨୦୦୬ରେ ଓକିଲାତି ପେଷାରେ ଯୋଗ ଦେଇଥିଲେ ଜଷ୍ଟିସ ପାଣିଗ୍ରାହୀ । ଓଡିଶା ହାଇକୋର୍ଟ ଓ ସୁପ୍ରିମକୋର୍ଟ ସମେତ ମାଡ୍ରାସ, ଦିଲ୍ଲୀ, କେରଳ, କୋଲକାତା, ଚଣ୍ଡିଗଡ, ଗୁଜୁରାଟ ହାଇକୋର୍ଟରେ ଅନେକ ମାମଲା ସଫଳତାର ସହ ସେ ପରିଚଳନା କରିଛନ୍ତି । ଏହା ସହ ବହୁ ଆଇନ ପୁସ୍ତକ ଜଷ୍ଟିସ ପାଣିଗ୍ରାହୀ ଲେଖିଥିବାବେଳେ, ବିଦେଶୀ ପ୍ରକାଶକଙ୍କ ଦ୍ବାରା ଏ ସମସ୍ତ ପୁସ୍ତକ ପ୍ରକାଶିତ ହୋଇଛି ।