ଝାଡଖଣ୍ଡ ବିଧାନସଭାର ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି

ରାଂଚି: ଝାଡଖଣ୍ଡ ବିଧାନସଭାର ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମତଦାନ ଆରମ୍ଭ ହୋଇଯାଇଛି । ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଚାଲିବ । ଏହି ପର୍ଯ୍ୟାୟରେ ୨୩୭ ଜଣ ପ୍ରାର୍ଥୀ ଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଥିବାବେଳେ ୫ ହଜାର ୨୮୭ ଜଣ ମତଦାତା ନିଜର ମତଦାନ କରିବେ ।

ଝାଡ଼ଖଣ୍ଡର ମୁଖ୍ୟ ନିର୍ବାଚନ ଅଧିକାରୀ ବିନୟ କୁମାର ଚୌବେ ଗୁୁରୁବାର ଗଣମାଧ୍ୟମକୁ ଏହି ସୂଚନା ଦେଇ କହିଛନ୍ତି ଯେ, ୧୬ଟି ବିଧାନସଭା ଆସନ ପାଇଁ ସ୍ୱତନ୍ତ୍ର, ଶାନ୍ତିପୂର୍ଣ୍ଣ, ନିରପେକ୍ଷ ଓ ପାରଦର୍ଶୀ ଭାବେ ନିର୍ବାଚନ କରିବାରକୁ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତି କରାଯାଇଛି । ଚୌବେ କହିଛନ୍ତି, ସମସ୍ତ ଆସନ ପାଇଁ ମୋଟ ୫୩୮୯ଟି ମତଦାନ କେନ୍ଦ୍ର କରାଯାଇଛି । ଏଥିରେ ସହରାଞ୍ଚଳରେ ୨୬୯ ଓ ଗ୍ରାମାଞ୍ଚଳରେ ୫,୧୨୦ ମତଦାନ କେନ୍ଦ୍ର ଅବସ୍ଥିତ । ଏହି ପର୍ଯ୍ୟାୟରେ ମୋଟ ୨୦ ଲକ୍ଷ ୪୯ ହଜାର ୯୨୧ ଜଣ ପୁରୁଷ, ୧୯ ଲକ୍ଷ ୫୫ ହଜାର ୩୩୬ ଜଣ ମହିଳା ଓ ୩୦ ଜଣ ତୃତୀୟ ଲିଙ୍ଗ ମତଦାନ କରିବେ । ଏଥିରେ ୯୩ ଲକ୍ଷ ୭୭୯ ଜଣ ନବାଗତ ହୋଇଥିବା ବେଳେ ୪୧ ହଜାର ୫୦୫ ଜଣ ୮୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକ । ମତଦାନ ପ୍ରକ୍ରିୟାରେ ୪୯ ହଜାର ୪୪୬ ଜଣ ଦିବ୍ୟାଙ୍ଗ ସାମିଲ ହେଉଛନ୍ତି ।

ମୁଖ୍ୟ ନିର୍ବାଚନ ଅଧିକାରୀ ବିନୟ କୁମାର ଚୌବେ କହିଛନ୍ତି, ମତଦାନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ମତଦାନ କେନ୍ଦ୍ରଗୁଡ଼ିକରେ ପୋଲିସ ମୁତୟନ କରାଯାଇଛି । ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିପରି ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଇଛି । ବିଶେଷ କରି ନକ୍ସଲ ପ୍ରଭାବିତ ମତଦାନ କେନ୍ଦ୍ର ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଝାଡ଼ଖଣ୍ଡ ବିଧାନସଭା ୮୧ ଜଣ ସଦସ୍ୟକୁ ନେଇ ଗଠିତ ହୋଇଛି ।  ଡିସେମ୍ବର ୨୩ରେ ମତଦାନର ଫଳାଫଳ ବାହାରିବ । ମୁଖ୍ୟ ନିର୍ବାଚନ ଆୟୋଗ ସୁନୀଲ ଅରୋରା ପୂର୍ବରୁ କହିଛନ୍ତି ଯେ, ଝାଡ଼ଖଣ୍ଡର ୬୭ଟି ଆସନ ଅତି ସମ୍ବେଦନଶୀଳ ଅଟେ ।