ଆଜି ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଆଉ ଏଇଠୁ ଆରମ୍ଭ ହୁଏ ଓଡିଆଙ୍କ ନବବର୍ଷ । ଏହାଛଡା ଓଡିଶାରେ ପଣା ସଂକ୍ରାନ୍ତିକୁ ହନୁମାନ ଜୟନ୍ତୀ ଭାବରେ ମଧ୍ୟ ପାଳନ କରାଯାଇଥାଏ । ପ୍ରତ୍ୟେକ ବର୍ଷ ଧୁମଧାମରେ ଏହି ଦିନକୁ ପାଳନ କରାଯାଇଥାଏ । ସାରା ରାଜ୍ୟ ଆଜିର ଦିନରେ ଚଳଚଂଚଳ ହୋଇପଡେ । କିନ୍ତୁ ଚଳିତ ବର୍ଷ କୋରୋନା ଯୋଗୁଁ ଏହା ଫିକା ପଡିଯାଇଛି ।

ଆଜିଠୁ ନୂଆ ପାଞ୍ଜିର ବ୍ୟବହାର ହୋଇଥାଏ । ଏହି ଦିନ ଚଉରା ମୂଳେ ଓ ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ଛତୁଆ ଓ ପଣା ଭୋଗ ହୋଇଥାଏ । ଏହାସହ ଖରାରୁ ରକ୍ଷା ପାଇବା ପାଇଁ ଚଉରା ମୂଳେ ଛାମୁଣ୍ଡିଆ ବନ୍ଧାଯାଇ ଏକ ଶିକା ମାଧ୍ୟମରେ ଘଡି ବା ଠେକି(ଛୋଟ ମାଟି ହାଣ୍ଡି) ବନ୍ଧା ଯାଇଥାଏ । ଯେଉଁଥିରେ ତୁଳସୀ ମାଆଙ୍କୁ ପାଣି ଦିଆଯାଏ ।

ଏହି ଦିନରେ ଘରେ ଘରେ ବେଲ ପଣା ସାଙ୍ଗକୁ ଛତୁଆ ଓ ବିଭିନ୍ନ ପିଠା ପଣା କରାଯାଇଥାଏ । ସକାଳୁ ଉଠି ମନ୍ଦିର ଯାଇ ଖୁବ ଆନନ୍ଦ ଉଲ୍ଲାସ ସହ ପଣା ପିଇ ସମସ୍ତେ ସମସ୍ତଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଥାନ୍ତି । ହନୁମାନ ଜୟନ୍ତୀ ହୋଇଥିବାରୁ ସହରରେ ଥିବା ହନୁମାନ ମନ୍ଦିରରେ ଦିନ ତମାମ ଗହଳି ଚହଳି ଲାଗିରହିଥାଏ । କିନ୍ତୁ କୋରୋନା ଲକଡାଉନ ଯୋଗୁଁ ସବୁକିଛି ଫିକା ପଡଯାଇଛି । ସମାଜିକ ଦୂରତା ବଜାୟ ରଖିବାକୁ ସମସ୍ତ ଧର୍ମସ୍ଥଳୀ ବନ୍ଦ ରହିଛି । ଏହାଛଡା କେରଳରେ ଆଜି ଭିଷୁ, ଉତର ଭାରତରେ ବୈଶାଖୀ, (ପଶ୍ଚିମବଙ୍ଗ, ତ୍ରିପୁରା, ବାଙ୍ଗାଲାଦେଶ)ରେ ପହେଲା ବୈଶାଖ, ଆସାମର ବିହୁ ଭାବରେ ଆଜିର ଦିନକୁ ଧୁମଧାମରେ ପାଳନ କରାଯାଇଥାଏ ।