ଆଜି ପବିତ୍ର ହେରାପଞ୍ଚମୀ

ପୁରୀ: ପତ୍ନୀଙ୍କୁ ଶ୍ରୀମନ୍ଦିରରେ ଛାଡ଼ି ମାଉସୀ ମା’ ଘରେ ଜନ୍ମବେଦୀରେ ଭାଇ ଭଉଣୀଙ୍କୁ ଧରି ଲୀଳାଖେଳା କରୁଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ । ଯେଉଁଥିପାଇଁ କ୍ରୋଧରେ ଜର୍ଜରିତ ହୋଇ ରହିଛନ୍ତି ଦେବୀ ମହାଲକ୍ଷ୍ମୀ । ତେଣୁ ଆଜି ପବିତ୍ର ହେରାପଞ୍ଚମୀରେ ନନ୍ଦିଘୋଷ ରଥ ଭାଙ୍ଗିବାକୁ ଆସିବେ ଠାକୁରାଣୀ । ରାତି ପ୍ରାୟ ୯ ଘଟିକା ସମୟରେ ଏହି ଅପୂର୍ବ ନୀତି ଅନୁଷ୍ଠିତ ହେବାର ସୂଚନା ରହିଛି ।

ରଥଯାତ୍ରା ଠାରୁ ପାଞ୍ଚଦିନ ଅର୍ଥାତ ଆଷାଢ଼ ଶୁକ୍ଳ ପଞ୍ଚମୀ ଦିନକୁ ହେରାପଞ୍ଚମୀ କୁହାଯାଏ । ରଥଯାତ୍ରାରେ ଜଗନ୍ନାଥ ନିଜ ପତ୍ନୀଙ୍କୁ ବଡ଼ ଦେଉଳରେ ଛାଡ଼ି ଦେଇ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ଗୁଣ୍ଡିଚା ମନ୍ଦିର ଚାଲି ଆସିଛନ୍ତି । ମହାଲକ୍ଷ୍ମୀ ରୋଷ ହୋଇ ଏହାର କାରଣ ପଚାରିବା ନିମନ୍ତେ ଏକ ସୁସଜ୍ଜିତ ପାଲିଙ୍କିରେ ଆଡ଼ପ ମଣ୍ଡପକୁ ଯାତ୍ରା କରିଥାନ୍ତି । ତେବେ ମହାଲକ୍ଷ୍ମୀଙ୍କ କ୍ରୋଧ ଜର୍ଜରିତ ରୂପ ଦେଖି ମହାପ୍ରଭୁଙ୍କ ସେବକମାନେ ଗୁଣ୍ଡିଚା ମନ୍ଦିରର ମୁଖ୍ୟଦ୍ୱାର ବନ୍ଦ କରିଦିଅନ୍ତି । ନାକଚଣା ବାଟ ଦେଇ ଜଗମୋହନକୁ ଯାଇ ବିମଳାଙ୍କ ପ୍ରଦତ୍ତ କର୍ପୁରରେ ଲକ୍ଷ୍ମୀ ଆଳତି କରନ୍ତି । ପତ୍ନୀଙ୍କ ରାଗ ଶାନ୍ତ କରିବା ପାଇଁ ମହାପ୍ରଭୁ ଦୁଇଦିନ ମଧ୍ୟରେ ଫେରିଯିବାର ପ୍ରତିଶୃତି ଦେଇ ରଥ ଦକ୍ଷିଣ ମୋଡ଼ କରିବା ନିମନ୍ତେ ବରାଦ କରିଥାନ୍ତି । 

ଜଗନ୍ନାଥ ଲକ୍ଷ୍ମୀଙ୍କୁ ସିଂହାସନ ପାଖକୁ ନ ନେବାରୁ ଲକ୍ଷ୍ମୀ ମହାରାଣୀ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗି ଦେଇ ହେରାଗୌରୀ ସାହି ବାଟେ ଫେରି ଆସନ୍ତି । ଜଗନ୍ନାଥ ନିଜ କଥା ରଖିବାରେ ଅସଫଳ ହେବାରୁ ଫେରିବା ଦିନ ବଳଭଦ୍ର ଓ ସୁଭଦ୍ରା ନିଳାଦ୍ରୀ ମଣ୍ଡପକୁ ବିଜେ କଲେ ମଧ୍ୟ ପ୍ରଭୁଙ୍କ ପାଇଁ ଦ୍ୱାର ବନ୍ଦ ରହେ । ମହାଲକ୍ଷ୍ମୀ ବାଟ ଓଗାଳି ଥାଆନ୍ତି । ଏହାକୁ ଲକ୍ଷ୍ମୀ ନାରାୟଣ ବୋଲି କୁହାଯାଏ ।