ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ । ବିଜୁବାବୁଙ୍କ ଜୟନ୍ତୀ ଦିନକୁ ରାଜ୍ୟସ୍ତରୀୟ ପଂଚାୟତିରାଜ ଦିବସ ରୂପେ ପାଳନ କରାଯାଉିଛି । ଏହି ଉପଲକ୍ଷେ କଟକ ବାଲିଯାତ୍ରା ପଡିଆରେ ବ୍ୟାପକ ଆୟୋଜନ ହୋଇଛି ।

କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ମିନି ମାରାଥନ ଆୟୋଜିତ ହୋଇଛି । ବିଜୁ ପଟ୍ଟନାୟକ ପାର୍କ ନିକଟରୁ ମାରାଥନ ବାହାରି ଏଜି ଛକ, ରାଜଭବନ ଛକ, ପାୱାର ହାଉସ ଛକ ଦେଇ ମାରାଥନ କଳିଙ୍ଗ ଷ୍ଟାଡିୟମରେ ପଂହଚିଛି । କଟକ ବାଲିଯାତ୍ରା ପଡିଆରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଏହାସହ ଆଜି  ଏସସିବି ମେଡିକାଲ କଲେଜର ନବେକଳବର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କଟକ କିଲ୍ଲା ପଡିଆରେ ପହଂଚିବା ପରେ ପ୍ରଥମେ ବାରବାଟୀ ଷ୍ଟାଡିୟମକୁ ଯିବେ । ସେଠାରେ ଚାଲିଥିବା ରାଜ୍ୟସ୍ତରୀୟ ଆଦିବାସୀ ଫୁଟବଲ୍ ଟୁର୍ଣ୍ଣାମେଂଟର ଉଦଯାପନୀ ଉତ୍ସବରେ ଯୋଗଦେବେ । ପରେ ତଳ ବାଲିଯାତ୍ରା ପଡିଆରେ ପହଂଚି ଏସସିବି ମେଡିକାଲର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି । ଏହା ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ କଟକ ଜିଲ୍ଲାପାଳ, ଡିସିପି ଏବଂ ସିଏମସି କମିଶନର ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।

ଦଳର ରାଜ୍ୟ ପରିଷଦ ସଦସ୍ୟ, ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ସଭ୍ୟ, ବିଜେଡ଼ିର ଛାମୁଆ ସଙ୍ଗଠନର ମୁଖ୍ୟଙ୍କୁ ବିଜୁ ଜୟନ୍ତୀ ପାଳନ ନେଇ ନିଜେ ଚିଠି ଲେଖିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜୁ ଜୟନ୍ତୀ ସାଙ୍ଗକୁ ନବୀନ ସରକାରର ୨୦ବର୍ଷ ପୂର୍ତି ପାଳିବାକୁ ସବୁ ବିଭାଗ ପ୍ରସ୍ତୁତ ହୋଇଛନ୍ତି । ଏହା ବାଦ୍ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ସରକାରଙ୍କ ସଫଳତାର ଗାଥା ସହ ବିଜୁ ବାବୁଙ୍କ ଆଦର୍ଶ, ସାହସିକତାର କଥା ବି ଲୋକଙ୍କ ପାଖରେ ରଖିବ ବିଜେଡି । ରକ୍ତ ଦାନ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ମାଲ୍ୟାର୍ପଣ, ସଫେଇ କାର୍ଯ୍ୟକ୍ରମ ଦଳ ପକ୍ଷରୁ ହାତକୁ ଦିଆଯାଇଛି ।

ଆଜି ବିଜୁ ଜୟନ୍ତୀ ରାଜ୍ୟର ୩୧୪ ବ୍ଲକରେ ମଧ୍ୟ ପାଳନ କରାଯିବ । ଏହି ଅବସରରେ ବିଜୁ ବାବୁଙ୍କ ସାହାସିକତା ଓ ଆଦର୍ଶ ଏବଂ ଓଡ଼ିଶାକୁ ଭଲ ପାଉଥିବା ବିଷୟରେ ଲୋକଙ୍କୁ ବିଶେଷ କରି ଯୁବପୀଢିଙ୍କୁ ଅବଗତ କରାଯିବ । ଦଳ ହିସାବରେ ବିଜେଡି ବିଜୁ ଜୟନ୍ତୀ ପାଳନ କରୁଥିବା ବେଳେ ବିଜେଡି ସରକାର ମଧ୍ୟ ୨୦ବର୍ଷ ପୂର୍ତି ପାଳନ କରୁଛି । ନବୀନ ପଟ୍ଟନାୟକଙ୍କ ସରକାରଙ୍କୁ ଏହା ଭିତରେ ୨୦ ବର୍ଷ ବିତିଗଲାଣି । ୨୦୦୦ ମସିହାରୁ ଲାଗାତାର ଭାବେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଉଛନ୍ତି ।