ଟିଟୋ ଦେହ ବ୍ୟବସାୟ ଲିଙ୍କରେ ପୁଣି ଏସ୍‌ଟିଏଫ୍‌ର ଚଢାଉ, ଦିପ୍ତୀ ଦାସଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ବର : ଟିଟୋ ଲିଙ୍କରେ ପୁଣି ଏସ୍‌ଟିଏଫ୍‌ର ଚଢାଉ । ଗିରଫ ହୋଇଛନ୍ତି ଆଉଜଣେ ସଦସ୍ୟ ।ଏଥର ଜଗତସିଂପୁରର ବ୍ୟବସାୟୀ  ଦିପ୍ତୀ ଦାସଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ । ଘରୁ ବିପୁଳ ପରିମାମ ସଂପତ୍ତି ସହ ବନ୍ଧୁକ, ଗୁଳି, ଜମିପଟ୍ଟା, ଦାମି କାର ଜବତ  ହୋଇଛି ।

ଟିଟୋ ଲିଙ୍କରେ ଏସ୍‌ଟିଏଫ୍‌ ପଞ୍ଝାରେ ଜଗତ୍‌ସିଂହପୁରର ଦିପ୍ତୀ ଦାସ । ବ୍ୟବସାୟୀ ଦିପ୍ତୀ ଦାସଙ୍କୁ ଘରୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ । ସକାଳେ କ୍ରାଇମବ୍ରାଞ୍ଚ  ଏସଟିଏଫ୍‌ ର ୮ଜଣିଆ ଟିମ୍‌ ଦୀପ୍ତିଙ୍କ ଜଗତସିଂହପୁର ଏବଂ ଭୁବନେଶ୍ବର ଘରେ ଏକକାଳୀନ ରେଡ୍ କରିଥିଲା । ସିପି ମୁକୁନ୍ଦପୁରସ୍ଥିତ ଘର, ଜଗତସିଂହପୁରରେ ଥିବା ବୃନ୍ଦାବନ ଗେଷ୍ଟ ହାଉସ ,ନିର୍ମଳା ରେସିଡେନସି, ଗ୍ଲାସ ଆଣ୍ଡ ପ୍ଲାଏ ଦୋକାନ ଉପରେ ଚଢ଼ାଉ କରିଥିଲା ଏସଟିଏଫ । ଚଢାଉ ବେଳେ ଏକ ଅଡି କାର, ଲାଇସେନ୍ସପ୍ରାପ୍ତ ବନ୍ଧୁକ, ୧୨ଟି ଗୁଳି, ୬୪ହଜାର ଟଙ୍କା, ବିଭିନ୍ନ ବ୍ୟାଙ୍କରେ ଥିବା  ଆକାଉଣ୍ଟ ଓ ଜମି କାଗଜପତ୍ର ଜବତ କରାଯାଇଛି ।

ଟିଟୋର କଳାକାରନାମା ସହ ସମ୍ପୃକ୍ତ ଦିପ୍ତୀଙ୍କର ଜଗତସିଂହପୁରରେ ଏକାଧିକ ହୋଟେଲ ବ୍ୟବସାୟ ରହିଛି। ଟିଟୋ ସହ ଦିପ୍ତୀଙ୍କର ଏକ ଫଟୋ ଭାଇରାଲ ହୋଇଥିଲା । ଟିଟୋ ଓ ତାର ଭାଇ ସପୋର ଦେହ ବ୍ୟବସାୟ କାରବାରକୁ ଦୀପ୍ତି ଚଳାଉଥିବା ଅଭିଯୋଗ ରହିଛି । ସପୋ ଗିରଫ ହେବା ବେଳେ ଦୀପ୍ତିଙ୍କ ନାଁ ନେବା ସହ ଅନେକ ତଥ୍ୟ ଦେବା ପରେ ଏସ୍ ଟିଏଫ୍ ଦୀପ୍ତି ଦାସଙ୍କୁ ଅଧିକ ତନାଘନା ପାଇଁ ଉଠାଇ ନେଇଛି। ହେଲେ ଏ ନେଇ ମୁହଁ ଖୋଲିନାହାନ୍ତି ଦିପ୍ତୀ ।

ଟିଟୋ ଗିରଫ ପରେ ତାର କଳା ସାମ୍ରାଜ୍ୟର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । କେତେବେଳେ ଜମି ଜବର ଦଖଲ ତ ଆଉ କେତେବେଳେ ଚୋରା ବାଲି ମୋରମ ଓ ଗୋରୁ କାରବାର ଓ ଦାଦା ବଟି ଆଦାୟ ଭଳି ସଂଗୀନ ଅଭିଯୋଗ । ଆଉ ଏବେ ଟିଟୋ ଭାଇ ସପୋ ଚଳାଉଥିବା ଦେହ ବ୍ୟବସାୟ ଓ ଏଥିରେ ଦିପ୍ତୀଙ୍କ ସଂପୃକ୍ତି ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି ।