ଟାଇମ ମାଗାଜିନର ୟୁ-ଟର୍ନ: ମୋଦୀ ଦେଶକୁ ଯୋଡୁଥିବା ସବୁଠୁ ବଡ଼ ନେତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଡିଭାଇଡର ଇନ ଚିଫ୍‌’ ବା ‘ପ୍ରମୁଖ ବିଭାଜକ’ ବୋଲି ଦର୍ଶାଇ ମାସକ ତଳେ ରିପୋର୍ଟ ପ୍ରକାଶ କରିଥିବା ଟାଇମ ମାଗାଜିନ ୟୁ-ଟର୍ନ ନେଇଛି। ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ମୋଦୀଙ୍କ ନେତୃତ୍ଵାଧୀନ ବିଜେପିକୁ ସ୍ପଷ୍ଟ ବହୁତମ ମିଳିଛି। ଏହା ପରେ ଟାଇମ ମାଗାଜିନ ପୁଣି ଏକ ରିପୋର୍ଟ ପ୍ରକାଶ କରି ମୋଦୀଙ୍କୁ ଦେଶକୁ ଯୋଡୁଥିବା ସବୁଠାରୁ ବଡ଼ ନେତା ବୋଲି ଦର୍ଶାଇଛି।

ଟାଇମ ମାଗାଜିନରେ ସଦ୍ୟ ପ୍ରକାଶିତ ରିପୋର୍ଟର ଶୀର୍ଷକ ରହିଛି ‘ମୋଦୀ ହାଜ୍‌ ୟୁନାଇଟେଡ୍‌ ଇଣ୍ଡିଆ ଲାଇକ୍‌ ନୋ ପ୍ରାଇମ ମିନିଷ୍ଟର ଇନ୍‌ ଡିକେଡ୍‌ସ’। ଅର୍ଥାତ ମୋଦୀ ଦେଶକୁ ଯେପରି ଯୋଡ଼ିଛନ୍ତି, ସେଭଳି କୌଣସି ପ୍ରଧାନମନ୍ତ୍ରୀ ଦଶନ୍ଧି ଦଶନ୍ଧି ଧରି କରିପାରିନାହାନ୍ତି। ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ କେବଳ କ୍ଷମତାକୁ ଫେରିବାରେ ସଫଳ ହୋଇନାହାନ୍ତି, ବରଂ ସେ ନିଜ ପ୍ରତି ସମର୍ଥନକୁ ବି ବୃଦ୍ଧି କରିଛନ୍ତି। ରିପୋର୍ଟ ଲେଖକ ମନୋଜ ଲଡୱା ଦର୍ଶାଇଛନ୍ତି, ମୋଦୀ ଦେଶର ପଛୁଆ ବର୍ଗ ଏବଂ ଗରିବମାନଙ୍କ ପାଇଁ ଗ୍ରହଣ କରିଥିବା ନୀତିଗୁଡ଼ିକ ପାଇଁ କ୍ଷମତାକୁ ଫେରିବାରେ ସଫଳ ହୋଇଛନ୍ତି। ଏହି ନୀତିଗୁଡ଼ିକ ପାଇଁ କେବଳ ହିନ୍ଦୁ ନୁହନ୍ତି, ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ବି ଗରିବୀମୁକ୍ତ ହେବାରେ କିଛିମାତ୍ରାରେ ସଫଳ ହୋଇପାରିଛନ୍ତି।

ସୂଚନାଯୋଗ୍ୟ, ପ୍ରାୟ ମାସକ ତଳେ ଟାଇମ ମାଗାଜିନ ନିଜର କଭର ଷ୍ଟୋରୀରେ ମୋଦୀଙ୍କ ଫଟୋ ଛାପି ତାଙ୍କୁ ‘ପ୍ରମୁଖ ବିଭାଜକ’ ବୋଲି ଦର୍ଶାଇଥିଲା। ପାକିସ୍ତାନୀ ସାମ୍ବାଦିକ ଆତିଶ ତସୀର ଏହି ରିପୋର୍ଟ ପ୍ରକାଶ କରିଥିଲେ। ଏହାକୁ ନେଇ ବିଜେପି ଟାଇମ ମାଗାଜିନକୁ କଡ଼ା ସମାଲୋଚନା କରିଥିଲା। ମୋଦୀଙ୍କ ବଦନାମ ପାଇଁ ଟାଇମ ମାଗାଜିନ ପାକିସ୍ତାନର ଅନୁସରଣ କରୁଥିବା ଏବଂ ଜଣେ ପାକିସ୍ତାନୀଙ୍କଠାରୁ କିପରି ଭଲ ଆଶା କରାଯାଇପାରିବ ବୋଲି ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଥିଲେ। ଆତିଶ ହେଉଛନ୍ତି ଭାରତୀୟ ସାମ୍ବାଦିକ ତାଭଲୀନ ସିଂହ ଏବଂ ପାକିସ୍ତାନୀ ବ୍ୟବସାୟୀ ତଥା ରାଜନେତା ସଲମାନ ତସୀରଙ୍କ ପୁଅ।