ଚେନ୍ନାଇ : ଗତ ବୁଧବାର ଟିକ୍-ଟକ୍ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ହଟାଇଥିଲେ ମାଡ୍ରାସ୍ ହାଇକୋର୍ଟ । ପୁଣି ଥରେ ଲୋକମାନେ ଏହାକୁ ଡାଉନ୍ଲୋଡ୍ କରି ଏହାର ବ୍ୟବହାର କରି ପାରିବେ ବୋଲି ମାଡ୍ରାସ୍ ହାଇକୋର୍ଟ ସ୍ପଷ୍ଟ କରିଥିଲେ । ତେବେ ମାଡ୍ରାସ ହାଇକୋର୍ଟରୁ ରାୟ ଆସିବା ପରେ ଏବେ ପୁଣି ଥରେ ଗୁଗଲ ଏବଂ ଆପଲ ପ୍ଲେ ଷ୍ଟୋରକୁ ଟିକ୍ ଟକ୍ ଆପ୍ ଆସି ଯାଇଥିବା ଜଣା ପଡ଼ିଛି । ସୂଚନା ମୁତାବକ, ଟିକ୍-ଟକ୍କୁ ଆପ୍ରେ ବିଭିନ୍ନ ରାଜନେତା ଏବଂ ପୁଲିସକର୍ମୀମାନଙ୍କୁ ଟ୍ରୋଲ କରାଯାଉଥିବାର ଭିଡିଓ ଦେଖାଯିବାରୁ ଏହା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦାବି ଆରମ୍ଭ ହୋଇଥିଲା । କିଛି ଯୁବକ ଲୋକପ୍ରିୟତା ପାଇଁ ପର୍ଣ୍ଣ ଭିଡିଓ ସହ ଅସହଜ ମନେ ହେଉଥିବା ଭିଡିଓ ପୋଷ୍ଟ କରୁଥିଲେ । ଯାହା ପରେ ମାଡ୍ରାସ ହାଇକୋର୍ଟ ଏହା ଉପରେ ପ୍ରତିବନ୍ଧକ ଲଗାଇବା ସହ ଭାରତ ସରକାର ଗୁଗଲ ଏବଂ ଆପଲ କମ୍ପାନୀକୁ ନିଜ ନିଜର ପ୍ଲେ ଷ୍ଟୋରରୁ ଟିକ୍ ଟକ୍ ଆପ୍କୁ ହଟାଇବା ପାଇଁ କହିଥିଲେ ।
ଏଭଳି ଆଦେଶ ଆସିବା ପରେ ଟିକ୍-ଟକ୍ର ମାଲିକ ବାଇଟେଡାନ୍ସ ଆପ୍ରୁ ୬ଲକ୍ଷ ଆପତ୍ତିଜନକ ଭିଡିଓ ହଟାଇ ଦିଆଯାଇଥିବା ନେଇ ସୂଚନା ଦେବା ସହ ଏହା ଉପରେ ପ୍ରତିବନ୍ଧକ ଲଗାଯିବାକୁ ନେଇ ବିରୋଧ କରିଥିଲେ । ଏହା ସହ ସର୍ବୋଚ୍ଚ ନ୍ୟାୟଳୟରେ ଏ ନେଇ ନ୍ୟାୟ ଭିକ୍ଷା କରିଥିଲେ । ପ୍ରଥମେ ସର୍ବୋଚ୍ଚ ନ୍ୟାୟଳୟ ଏ ନେଇ ହସ୍ତକ୍ଷେପ କରିବାକୁ ଚାହୁଁ ନଥିବା ବେଳେ ପରେ ଏପ୍ରିଲ ୨୨ରେ ମାଡ୍ରାସ ହାଇକୋର୍ଟକୁ ଏହି ମାମଲାକୁ ନେଇ ଏପ୍ରିଲ ୨୪ ସୁଦ୍ଧା ଶୁଣାଣି କରିବାକୁ ଆଦେଶ ଦେଇଥିଲେ । ଯାହା ପରେ ଏପ୍ରିଲ ୨୪ରେ ମାଡ୍ରାସ ହାଇକୋର୍ଟ ଶୁଣାଣି କରି ଟିକ୍-ଟକ୍ ଉପରୁ ପ୍ରତିବନ୍ଧକ ହଟାଇଥିବା ଜଣା ପଡ଼ିଛି ।