ବାରାହା ଫାଶରେ ମରିଛି ମହାବୀର

ଭୁବନେଶ୍ୱର : ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟରୁ ଆସିଥିବା ବାଘ ମହାବୀର ମୃତ୍ୟୁ ରହସ୍ୟ ଫିଟିଛି । କୌଣସି ଜଙ୍ଗଲୀ ଜନ୍ତୁଙ୍କ ଆକ୍ରମଣ କିମ୍ବା ରେଡିଓକଲାର ଯୋଗୁଁ ନୁହେଁ, ବରଂ ବାରାହା ଫାଶରେ ପଡ଼ି ମହାବୀର ଜୀବନ ଯାଇଛି । ଏନଟିସିଏ ବା ଜାତୀୟବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଓ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଟିମ ତଦନ୍ତ କରି ଏଭଳି ରିପୋର୍ଟ ପ୍ରଦାନ କରିଛନ୍ତି ।

ବାରହା ଲାଗି ବସିଥିବା ଫାଶରେ ପଡ଼ି ମହାବୀରର ବେକରେ ଘା’ ସୃଷ୍ଟି ହୋଇଥିଲା । ପରବର୍ତ୍ତି ସମୟରେ ତାହା ଇନ୍ଫେକ୍ସନ ହେବାରୁ ବାଘର ମୃତ୍ୟୁ ଘଟିଥିଲା । ଏଭଳି ରିପୋର୍ଟ ମିଳିବା ପରେ ବାଘ ମୃତ୍ୟୁକୁ ନେଇ ଥିବା ସନପେନ୍ସ ଦୂର ହୋଇଛି । ରାଜ୍ୟରେ ବାଘ ବଂଶ ବୃଦ୍ଧି ଓ ଜୈବ ସନ୍ତୁଳନ ରକ୍ଷା ଲାଗି ବନବିଭାଗ ସବୁ ବନାଞ୍ଚଳରେ ବାଘ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲା । ପାଇଲଟ ପ୍ରୋଜେକ୍ଟ ଭାବେ ସାତକୋଶିଆରେ ଏହା ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯାଇଛି । ଏଥିପାଇଁ ବନ ବିଭାଗ ମଧ୍ୟପ୍ରଦେଶ ସରକାରଙ୍କୁ ୬ଟି ବାଘ ଦେବାକୁ ଅନୁରୋଧ କରିଥିଲା । ମଧ୍ୟପ୍ରଦେଶ ସରକାର ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଯୋଡ଼ା ବାଘ ଦେଇଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ମହାବୀରକୁ ଅଣାଯାଇଥିଲା । କିଛିଦିନ ଏନକ୍ଲୋଜରରେ ରଖାଯିବା ପରେ ରେଡିଓ କଲାର ଲଗାଯାଇ ଜଙ୍ଗଲରେ ଛଡ଼ାଯାଇଥିଲା । କିଛିଦିନ ସ୍ୱାଭାବିକ ଭାବେ ବିଚରଣ କରିବା ପରେ ହଠାତ ନଭେମ୍ବର ୧୪ରେ ବାଘର ମୃତ ଦେହ ଠାବ କରାଯାଇଥିଲା । ବାଘ ମୃତ୍ୟୁକୁ ନେଇ ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଥିଲା । ତେବେ କେଉଁ କାରଣ ଓ କାହାର ଭୁଲ ଯୋଗୁଁ ମହାବୀର ମୃତ୍ୟୁ ଘଟିଲା, ତାହାକୁ ନେଇ ରାଜ୍ୟଠାରୁ ଆରମ୍ଭ କରି କେନ୍ଦ୍ର ପର୍ଯ୍ୟନ୍ତ ତିର୍ଜମା ଆରମ୍ଭ ହୋଇଥିଲା ।
ଏଥିପାଇଁ ଏନଟିସିଏ ଓ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଅଧିକାରୀଙ୍କୁ ନେଇ ଏକ ଟିମ ଗଠନ କରାଗଲା । ତେବେ ଶବ ବ୍ୟବଚ୍ଛେଦ ବେଳେ ବାଘ ପେଟରୁ ଝିଙ୍କ କଣ୍ଟା ବାହାରିଥିଲା । ଝିଙ୍କ ଖାଇବା କିମ୍ବା ଆକ୍ରମଣ ଯୋଗୁଁ ବାଘର ମୃତ୍ୟୁ ଘଟିଥିବା ନେଇ ଆଲୋଚନା ହେଲା । ମାତ୍ର ବାଘ ମୃତ୍ୟୁର ସଠିକ ତଥ୍ୟକୁ ନେଇ ଭିନ୍ନ ଭିନ୍ନ ମତ ଦିଆଗଲା । ତେବେ ସ୍ୱତନ୍ତ୍ର ଟିମର ରିପୋର୍ଟ ମିଳିବା ପରେ ବାରାହା ଫାସ ହିଁ ବାଘ ମୃତ୍ୟୁର କାରଣ ବୋଲି ସ୍ପଷ୍ଟ ହୋଇଛି । ଉଲ୍ଲେଖଥାଉ କି, ୯୬୩ ବର୍ଗକିଲୋମିଟର ସାତକୋଶିଆ ଅଭୟାରଣ୍ୟରେ ଏବେ ମାତ୍ର ଦୁଇଟି ବୁଢ଼ା ବାଘ ରହିଛନ୍ତି । ସେମାନଙ୍କ ବୟସ ୧୩ ବର୍ଷରୁ ଅଧିକ ହେବ । ତେଣୁ ସାତକୋଶିଆରେ ବାଘ ବଂଶ ଲୋପପାଇବା ଆଗରୁ ସେଠାରେ ବାଘ ଛଡ଼ାଯାଇଥିଲା । ହେଲେ ମହାବୀର ଅକାଳ ମୃତ୍ୟୁ ଘଟିଥିବା ବେଳେ ସୁନ୍ଦରୀ ଏବେ ଏନକ୍ଲୋଜରରେ ଆବଦ୍ଧ । ତେଣୁ ବାଘ ବଂଶ ବୃଦ୍ଧି ଯୋଜନା ଏବେ ଅଧାବାଟରେ ରହିଯାଇଥିବା ପରିବେଶବିତ ମତବ୍ୟକ୍ତ କରିଛନ୍ତି ।