୨୨ରେ ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍; ଟିକେଟ କାଉଂଟରରେ ଲମ୍ବା ଲାଇନ୍

କଟକ: କଟକ ବାରବାଟୀ ଷ୍ଟାଡିୟମ୍ ରେ ୨୨ ତାରିଖରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ କୁ ନେଇ ଦର୍ଶକଙ୍କ ଆଗ୍ରହ ଦେଖିବାକୁ ମିଳିଛି । ତେବେ କାଉଂଟରରେ ଟିକେଟ ମିଳିବା ଆରମ୍ଭ ହୋଇଯିବାରୁ ଲୋକଙ୍କର ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଛି ।

ଅନଲାଇନରେ ଟିକେଟ ବିକ୍ରି ସରିଛି । ଆଜିଠୁ କାଉଂଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଛି । ୧୨ଟି କାଉଣ୍ଟରରେ ୧୦ହଜାର ୩୯ଟି ଟିକେଟ ବିକ୍ରି କରାଯିବ । ଟିକେଟ କ୍ରୟ କରିବା ନେଇ କୋଉଣ୍ଟର ଆଗରେ ଗତକାଲି ରାତିଠାରୁ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ଅସମ୍ଭାଳ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ କମିଶନରେଟ ପକ୍ଷରୁ ବ୍ୟାରିକେଟ ବ୍ୟବସ୍ଥା କରାଯାଇଛି । ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଏହି ଟିକେଟ ବିକ୍ରି ଚାଲିବ ।

୧୯ ଓ ୨୦ରେ ବାରବାଟୀ ଷ୍ଟାଡିୟମ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ମିଳିବ । ଟିକେଟ କିଣିବା ବେଳେ କ୍ରେତାଙ୍କୁ ନିଜ ପରିଚୟପତ୍ର ଦେଖାଇବାକୁ ପଡ଼ିବ । କାଉଣ୍ଟରରେ ଜଣପିଛା ୨ଟି ଲେଖାଏଁ ଟିକେଟ ମିଳିପାରିବ । ବାରବାଟୀରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ମ୍ୟାଚ ପାଇଁ ସୁରକ୍ଷା ଦୃଷ୍ଟିରୁ ପ୍ରତି ଗ୍ୟାଲେରିରେ ହେଲ୍ପ ଡେସ୍କ ଖୋଲାଯାଇଛି । ପ୍ରତି ଡେସ୍କରେ ଜଣେ ଜଣେ ପୋଲିସ ଅଧିକାରୀ ରହିବେ ।

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନୋଟି ଟି-୨୦ ଓ ତିନୋଟି ଦିନିକିଆ ମ୍ୟାଚ୍ ଖେଳାଯିବ। ପ୍ରଥମ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଡିସେମ୍ବର ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ଖେଳାଯାଇଛି। ଏହା ପରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୧୫ରେ ଚେନ୍ନାଇରେ ଖେଳାଯାଇଛି। ଡିସେମ୍ବର ୧୮ରେ ଦ୍ୱିତୀୟ ମ୍ୟାଚ୍ ଭାଇଜାଗରେ ଖେଳାଯାଇଛି  ଏବଂ ୨୨ ତାରିଖରେ ତୃତୀୟ ମ୍ୟାଚ୍ କଟକରେ ଖେଳାଯିବ।