ଥାଇରଏଡ୍ ସମସ୍ୟା ଥିଲେ କଣ କରିବେ?

-ଥାଇରଏଡ ସମସ୍ୟା ଥିଲେ ସବୁଠୁ ଗୁରୁତ୍ୱପୂର୍ଣ କଥା ହେଉଛି ଓଜନ ହ୍ରାସ କରିବା । ଅନେକ କ୍ଷେତ୍ରରେ ରୋଗୀଙ୍କ ପାଇଁ ଏହା ଏକ ଚ୍ୟାଲେଞ୍ଜ ହୋଇପଡିଥାଏ । ଏଥିପାଇଁ କୌଣସି ପ୍ରକାର ଔଷଧ ବ୍ୟବହାର ନ କରି ନିୟମିତ ଭାବେ ବ୍ୟାୟାମ କରନ୍ତୁ । ପ୍ରାତଃଭ୍ରମଣ କରିବାକୁ ଭୁଲନ୍ତୁ ନାହିଁ ।
-ଖାଦ୍ୟରେ ତେଲ ମସଲା, ଭାତର ପରିମାଣକୁ ଯଥେଷ୍ଟ ଭାବେ କମାନ୍ତୁ । ଏହା ଓଜନ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।
-ଯଥାସମ୍ଭବ ଫଳମୂଳ ଖାଇବାକୁ ପ୍ରୟାସ କରନ୍ତୁ । ତେବେ ଅତ୍ୟଧିକ ଡାଏଟିଂରେ ରୁହନ୍ତୁ ନାହିଁ । ଏହା ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ।
-ଖାଇବାରେ ଆଳୁ, ମାଟିତଳ ଜିନିଷର ବ୍ୟବହାରକୁ କମାନ୍ତୁ । ଥାଇରଏଡ୍ ସହ ଏହାର କୌଣସି ସିଧାସଳଖ ସମ୍ବନ୍ଧ ନଥାଏ । ତେବେ ଏଗୁଡ଼ିକ ଅଧିକ ପରିମାଣରେ ଖାଇବା ଦ୍ୱାରା ମଧୁମେହର ଆଶଙ୍କା ବଢିଯାଏ । ଏହି ଦୁଇଟି ଯାକ ସମସ୍ୟା ରୋଗୀ ପାଇଁ କଠିନ ପରିସ୍ଥିତି ସୃଷ୍ଟି କରେ ।
-ଥାଇରଏଡ୍ ହୋଇଥିଲେ ସାଧାରରତଃ ମଣିଷକୁ ଅଳସୁଆ ଲାଗେ, ନାଡ଼ିର ଗତି କମିଯାଏ । ଚିଡ଼ିଚିଡ଼ାପଣ ମଧ୍ୟ ହୋଇଥାଏ । ଏପରିସ୍ଥଳେ ଚିନ୍ତିତ ନ ରହି ମନ ପସନ୍ଦର କାମ କରନ୍ତୁ । ରୋଗ ହୋଇଛି ନିଶ୍ଚିତ ଭଲ ହେବ ଏପରି ମାନସିକତା ରଖନ୍ତୁ । ଧୀରେ ଧୀରେ ରୋଗକୁ ଦୂର କରିବା ଲାଗି ବ୍ୟାୟାମ ଆରମ୍ଭ କରନ୍ତୁ । ଓଜନ କମିଗଲେ ଏହି ରୋଗ ଅଧା ଭଲ ହୋଇଯାଇଥାଏ ।
-ଓଜନ ବଢୁଛି ବୋଲି ଭାବି ଖାଦ୍ୟରୁ ଶ୍ୱେତସାର ଜାତୀୟ ଖାଦ୍ୟ ଏକଦମ୍ କମ୍ କରି ଦିଅନ୍ତୁ ନାହିଁ । ଏହାଦ୍ୱାରା ଆପଣ ଦୁର୍ବଳ ଅନୁଭବ କରିବେ । କେତେକ କ୍ଷେତ୍ରରେ ରୋଗୀମାନେ ମୁଣ୍ଡ ବୁଲାଇ ପଡିଯାଇଥାନ୍ତି । ତେଣୁ ସନ୍ତୁଳିତ ଖାଦ୍ୟ ଗ୍ରହଣ କରନ୍ତୁ ।
-କାକୁଡ଼ି, ଗାଜର, ଗଜାମୁଗ ଆଦି ଖାଦ୍ୟ ନିହାତି ଭାବେ ଖାଆନ୍ତୁ । କାରଣ ଏଗୁଡ଼ିକ ଖାଦ୍ୟର ତୈଳୀୟ ତଥା ଚର୍ବି ଅଂଶକୁ ନଷ୍ଟ କରିଥାଏ । ଯାହାଦ୍ୱାରା କି ଓଜନ ବୃଦ୍ଧି ହୁଏନାହିଁ । ବ୍ରୋକୋଲି ଏବଂ ଫୁଲକୋବିକୁ ମଧ୍ୟ ଆପଣ ଖାଦ୍ୟରେ ବ୍ୟବହାର କରିପାରିବେ ।
-ମାଛ, ମାଂସ, ଅଣ୍ଡା ପରି ଆମିଷ ଖାଦ୍ୟକୁ ଯଥାସମ୍ଭବ ଏଡାଇ ଚାଲନ୍ତୁ । ଏହା ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିବା ସହ ଓଜନ ବୃଦ୍ଧି କରିଥାଏ । ଯାହାକି ଥାଇରଏଡ୍ ରୋଗୀଙ୍କ ପାଇଁ ବିପଦ ସୃଷ୍ଟି କରେ ।
-ବାହାରୁ ଚଟ୍ପଟା ଖାଦ୍ୟ ନଖାଇ ଆପଣ ଘରୋଇ ଭାବେ ବିଶେଷ କରି ଦହିରୁ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ଏହା ସମ୍ଭବ ନଥିଲେ ଦିନରେ ଅତି କମ୍ରେ ଥରେ ଦହି ଖାଇବାକୁ ଚେଷ୍ଟା କରନ୍ତୁ । ଏହା ହଜମ ସମସ୍ୟାକୁ ଦୂର କରିବା ସହ ଆପଣଙ୍କ ଚର୍ବିକୁ ମଧ୍ୟ ହ୍ରାସ କରିବ । ଫଳରେ ଓଜନ ମଧ୍ୟ କମିଯିବ ।