ଭୁବନେଶ୍ୱର: ସମଗ୍ର ରାଜ୍ୟରେ ଆଜି ବି ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସମଗ୍ର ପଶ୍ଚିମ ଓଡ଼ିଶା ଏକ ତତଲା କଡ଼େଇରେ ପରିଣତ ହୋଇଯାଇଛି। ଗ୍ରୀଷ୍ମ ପ୍ରବାହ ସହ ଝାଞ୍ଜି ପବନ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଆକାଶରୁ ସତେ ଯେମିତି ନିଆଁ ବର୍ଷା ହେଉଛି। ସକାଳ ୯ଟା ପରେ ଘରୁ ବାହାରିବା ମୁସ୍କିଲ ବ୍ୟାପାର ହୋଇପଡ଼ିଛି। ଏପରିସ୍ଥିତିରେ ଆଜି ଅପରାହ୍ଣରେ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଜରି ଏକ ସତର୍କ ସୂଚନାରେ କୁହାଯାଇଛି ଯେ ରାଜ୍ୟର ନବରଙ୍ଗପୁର,ବଲାଙ୍ଗିର, ବୌଦ, ସୋନପୁର ଓ ବରଗଡ଼ ଜିଲ୍ଲାରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ପ୍ରବଳରୁ ପ୍ରବଳତର ହେବାର ସମ୍ଭାବନା ରହିଥିବା ଦୃଷ୍ଟିରୁ ଏହି ସମସ୍ତ ଜିଲ୍ଲାରେ ଲୋକମାନଙ୍କୁ ଖରାକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ।

ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଦକ୍ଷିଣ, ଆଭ୍ୟନ୍ତର ଓ ଉପକୂଳ ଓଡ଼ିଶରେ କାଳବୈଶାଖୀ ସମ୍ଭାବନା ରହିଥିବା ମଧ୍ୟ ଏହି ସତର୍କରେ କୁହାଯାଇଛି। ରାଜ୍ୟର ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ନୟାଗଡ଼, ଢ଼େଙ୍କାନାଳ, ଯାଜପୁର ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ପବନ ସହ ବର୍ଷା ଓ ବଜ୍ରପାତର ଆଶଙ୍କା ରହିଥିବା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସାଟେଲାଇଟ୍ ଚିତ୍ର ଓ ଡପ୍ଲର ରାଡାର ସୂଚନାକୁ ଆଧାର କରି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏହି ସତର୍କ ସୂଚନାରେ କୁହାଯାଇଛି ଯେ ଆଜି ରାତି ମଧ୍ୟରେ ଏହି ସମସ୍ତ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହଠାତ୍ ପାଗରେ ପରିବର୍ତ୍ତନ ହେବା ସହ କାଳବୈଶାଖୀ ଜନିତ ଝଡ଼ପବନ ସହ ବର୍ଷା ଆରମ୍ଭ ହୋଇଯିବ। ଏଥିସହ ଏହି ସମୟ ମଧ୍ୟରେ ଏହି ସମସ୍ତ ସ୍ଥାନରେ ଘଣ୍ଟାପ୍ରତି ୩୦
ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ବଜ୍ରପାତର ଆଶଙ୍କା ରହିଥିବାରୁ କାଳବୈଶାଖୀ ସମୟରେ ପଦାକୁ ନ ବାହାରିବାକୁ ଜାରି ସତର୍କ ସୂଚନାରେ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୫.୦୦ ଡିଗ୍ରି ସେଲସିୟସ୍ ଟିଟଲାଗଡ଼ ଠାରେ ରେକର୍ଡ କରାଯାଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୨୨.୦୦ ଡିଗ୍ରି ସେଲସିୟସ୍ ସୁନ୍ଦରଗଡ଼ ଠାରେ ରେକର୍ଡ କରା ଯାଇଥିଲା।