ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା: ୩ ଭିଏଲଡବ୍ଲ୍ୟୁ ନିଲମ୍ବିତ

ଖୋର୍ଦ୍ଧା: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତାକୁ ନେଇ ୩ ଜଣ ଭିଏଲଡବ୍ଲ୍ୟୁଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି । ତେବେ ଏହି ଘଟଣା ଘଟିଛି ବେଗୁନିଆ ବ୍ଲକ ପୋଡାଡିହ ଗ୍ରାମରେ । ନିଲମ୍ବିତ ହୋଇଥିବା ଭିଏଲଡବ୍ଲ୍ୟୁମାନେ ହେଲେ ନାରାୟଣ ଜେନା, ଜୟଦେବ ସୁବୁଦ୍ଧି ଓ କେଦାର ବେହେରା। ଏଥି ସହିତ ଜିଲ୍ଲାପାଳ ବେଗୁନିଆ ବିଡିଓ ରବି ନାରାୟଣ ମାଝୀ ଓ ଏବିଡିଓ ମହେନ୍ଦ୍ର ଜେନାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

ସୂଚନା ଅନୁସାରେ ବେଗୁନିଆ ବ୍ଲକର ପୋଡ଼ାଡ଼ିହ ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ନେଇ ପୂର୍ବରୁ ଅନିୟମିତତା ଅଭିଯୋଗ ଆସିଥିଲା। ଆବାସ ନିର୍ମାଣ ଅନିୟମିତତା ଅଭିଯୋଗ ଆସିବା ପରେ ତଦନ୍ତ ପାଇଁ ନିର୍ଦ୍ଦେଶ ହୋଇଥିଲା। ଜିଲ୍ଲା ପ୍ରଶାସନ ତରଫରୁ ଘଟଣାର ତଦନ୍ତ କରାଯିବା ପରେ ସଂପୃକ୍ତ ଭିଏଲଡବ୍ଲ୍ୟୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।

ଜିଲ୍ଲାପାଳ ପୂର୍ବରୁ ଗଡ଼ମାଣିତ୍ରୀରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଘଟଣାରେ ଜଣେ ପଞ୍ଚାୟତ ଏକ୍ସଟେନ୍‌ସନ୍‌ ଅଫିସରଙ୍କୁ ନିଲମ୍ବନ କରିଥିଲେ।