ପିକନିକ୍ ସାରି ଫେରୁଥିଲେ, କୂଅରେ ଖସିପଡିଲା ବାଇକ ତିନି ସାଙ୍ଗଙ୍କ ମୃତ୍ୟୁ

ବ୍ରହ୍ମପୁର: ନୂଆ ବର୍ଷରେ ଅଘଟଣ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ କୋଟିନଡ଼ା ବ୍ରିଜ ତଳକୁ ଖସିପଡିଲା ଦୁଇଟି ବାଇକ୍ । ଦୁଇଟି ବାଇକରେ ୫ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଅଛନ୍ତି ।

ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଡାକ୍ତରଖାନା ପଠାଇଛନ୍ତି । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ଜାରି ରଖିଛନ୍ତି ।

ଘଟଣାରୁ ପ୍ରକାଶ ଯେ ନୂଆ ବର୍ଷରେ ଦିଗପହଣ୍ଡି ଅନ୍ତର୍ଗତ ରାଇଝୋଳ ଗ୍ରାମର ୫ ଜଣ ପଦ୍ମତୋଳା ଗାଁର ଜଣେ ସାଙ୍ଗ ନିକଟକୁ ଦୁଇଟି ବାଇକରେ ଯାଇଥିଲେ । ରାସ୍ତାରେ ଯିବା ବେଳେ ଏପରି ଅଘଟଣ ଘଟିଛି । ସଦର ଥାନା ରାଞ୍ଜିଆ ଗାଁର ସନ୍ତୋଷ ଗୌଡ଼, ରାଇଝୋଳ ଗାଁର ଜିତେନ୍ଦ୍ର ଗୌଡ଼, ବାବୁଲା ଗୌଡ଼ ଓ ମିଟୁ ଗୌଡ଼ ଏବଂ ପଦ୍ମତୋଳା ଗାଁର ଶିମରାମ ସ୍ୱାଇଁ କୌଣସି କାମରେ ଦୁଇଟି ବାଇକ୍‌ରେ ପଦ୍ମତୋଳାରୁ ରାଇଝୋଳକୁ ଫେରୁଥିଲେ। ତେବେ ଦିଗପହଣ୍ଡି ଥାନା କୋଚିନଡ଼ା ବ୍ରିଜ୍‌ ନିକଟରେ ଦୁର୍ଘଟଣା ଘଟିଥିଲା। ବାଇକ୍‌ରେ ଯାଇଥିବା ସନ୍ତୋଷ ଗୌଡ଼, ଜିତେନ୍ଦ୍ର ଗୌଡ଼, ବାବୁଲା ଗୌଡ଼ ବ୍ରିଜ୍‌ରେ ବାଡେଇ ହୋଇ ରାସ୍ତା ପାର୍ଶ୍ୱରେ ଥିବା କୂଅରେ ଗଳି ପଡ଼ିଥିଲେ। ତେବେ ତାଙ୍କ ପଛରେ ଅନ୍ୟ ଏକ ବାଇକ୍‌ରେ ଆସୁଥିବା ମିଟୁ ଗୌଡ଼ ଓ ଶିମରାମ ସ୍ୱାଇଁ ମଧ୍ୟ ବ୍ରିଜ୍‌ରେ ବାଡେଇ ହୋଇଯାଥିଲେ। ପରେ ସେମାନେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ସନ୍ତୋଷ ଗୌଡ଼, ଜିତେନ୍ଦ୍ର ଗୌଡ଼ ଓ ବାବୁଲା ଗୌଡ଼ଙ୍କୁ ମୃତ ଘୋଷଣା କରିଥିଲେ। ଏବେ ମଧ୍ୟ ଶିବରାମ ଓ ମିଟୁ ଗୁରୁତର ଆହତ ଅଛନ୍ତି।