ଅହମଦାବାଦରେ ୩ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣା; ଗାଁରେ ପହଂଚିଲା ମୃତଦେହ; ହେଲା ଅନ୍ତିମ ସଂସ୍କାର

ଯାଜପୁର: ଗୁଜୁରାଟରେ ଅହମଦାବାଦରେ ସୂତାକଳରେ ନିଆଁ ଲାଗି ୩ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଆଜି ସେମାନଙ୍କର ପୈତୃକ ଗାଁକୁ ମୃତଦେହ ପହଂଚିବା ପରେ ଅନ୍ତିମ ସଂସ୍କାର କରାଯାଇଛି । ଯାଜପୁର ସଦର ଥାନା ଅନ୍ତର୍ଗତ ଯମଧରରେ ୩ ଜଣଙ୍କ ମୃତଦେହ ପହଂଚିବା ପରେ ଶୋକରେ ବୁଡ଼ି ଯାଇଥିଲା ଗାଁ। ମୃତକ ପରିବାର ଲୋକେ ବୁକୁ ଫିଟାଇ କାନ୍ଦୁଥିଲେ। ଶୋକାକୂଳ ପରିବେଶରେ ତିନି ମୃତଦେହକୁ ଗାଁ ମଶାଣିକୁ ନିଆଯାଇଥିଲା।

ସୂଚନାଯୋଗ୍ୟ, ଗତ ୨୨ ତାରିଖରେ ଗୁଜୁରାଟର ଅହମଦାବାଦର ଲୋଟସ ସୁତା କାରଖାନାରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ଦୟାନିଧି ଖୁଂଟିଆ, ଚନ୍ମୟ ଖୁଂଟିଆ ଓ କାମେଶ ସିଂହଙ୍କ ନିଆଁ ଲାଗିବାରୁ ପ୍ରଣାହାନୀ ଘଟିଥିଲା। ଅହମଦାବାଦ ପ୍ରଶାସନର ସହାୟତାରେ ୩ଟି ମୃତଦେହକୁ ୨ଟି ଆମ୍ବୁଲାନ୍‌ସ ଯୋଗେ ଓଡ଼ିଶାକୁ ପଠାଯାଇଥିଲା। ଆଜି ସେମାନଙ୍କ ମୃତଦେହ ଯାଜପୁର ସଦର ଥାନା ଅନ୍ତର୍ଗତ ତାଙ୍କ ଗାଁ ଯମଧରରେ ଆସି ପହଂଚିଥିଲା।

ତେବେ ଏକକାଳୀନ ଗାଁରେ ୩ଟି ମୃତଦେହ ପହଂଚିବା ପରେ ଶୋକର ଛାୟା ଖେଳିଯାଇଥିବା ବେଳେ ଅତ୍ମୀୟମାନେ ନିଜର କୋହକୁ ସଂଭାଳି ପାରି ନଥିଲେ। ପରିବାରର ରୋଜଗରିଆ ପୁଅକୁ ହରାଇ ବାପା-ମା’ଙ୍କ ଆଖିରେ ଲୁହ ଶୁଖୁନାହିଁ। ଆଉ ଅନ୍ୟପଟେ ନିଜ ସ୍ୱାମୀ(ଦୟାନିଧି)ଙ୍କୁ ହରାଇ ସ୍ତ୍ରୀ ଆଖିରୁ ଲୁହ ଶୁଖୁନାହିଁ।