ଅମିତ ଶାହାଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶରେ ବିଦିଶା ଜିଲ୍ଲା ଗଂଜବାସୌଦାର ବିଧାୟକ ଲୀନା ଜୈନଙ୍କୁ ଜଣେ ଅଜ୍ଞାତ ବ୍ୟକ୍ତି ଡାକରେ ଏକ ଚିଠି ପଠାଇଛନ୍ତି । ଏହି ଚିଠିରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ବମ୍‌ରେ ଉଡାଇବା ଧମକ ଦିଆଯାଇଛି । ଶାହାଙ୍କ ସହିତ  ବିଧାୟକ ଲୀନା ଜୈନଙ୍କ ସମେତ ରେଲୱେ ଷ୍ଟେସନ ଓ ସରକାରୀ ଡାକ୍ତରଖାନାକୁ ମଧ୍ୟ ବମରେ ଉଡାଇବାକୁ ଏହି ଚିଠିରେ ଧମକ ଦିଆଯାଇଛି ।

ଏ ନେଇ ବିଧାୟକ ସୂଚନା ଦେବା ପରେ ପୁଲିସ୍ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଡାକ୍ତରଖାନା ଓ ରେଲୱେ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି । ଗଂଜବାସୌଦାର ବିଧାୟକ ଲୀନା ଜୈନଙ୍କ କହିବା ଅନୁଯାୟୀ, ସୋମବାର ଦ୍ୱିପହର ସମୟରେ ତାଙ୍କୁ ଡାକ ମାଧ୍ୟମରେ ଏକ ଚିଠି ମିଲିଲା । ଯେତେବେଳେ ସେ ଚିଠିଟି ଖୋଲିକି ପଢିଲେ, ସେଥିରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା, ଖୋଦ୍ ତାଙ୍କୁ, ଗଂଜବାସୌଦାର ସରକାରୀ ଡାକ୍ତରଖାନା ଓ ରେଲୱେ ଷ୍ଟେସନରେ ବମ ଲଗାଇ ଉଡାଇଦେବାକୁ ଧମକ ଦିଆଯାଇଥିଲା । ଚିଠି ପଠାଇଥିବା ଲୋକଙ୍କ ନାମ ସ୍ଥାନରେ “ବମ୍ ବନାନେ ୱାଲା” ଲେଖା ହୋଇଥିଲା । ବିଧାୟକଙ୍କ କହିବା ଅନୁଯାୟୀ ସେ ସଙ୍ଗେସଙ୍ଗେ ଏ ନେଇ ପୁଲିସକୁ ସୂଚନା ଦେଇଥିଲେ । 

ବିଧାୟକଙ୍କ ସୂଚନା ପରେ ରେଲୱେ ଷ୍ଟେସନ, ଡାକ୍ତରଖାନା ଓ ବସ୍ ଷ୍ଟାଣ୍ଡରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବମ୍ ନିଷ୍କ୍ରିୟ ଟିମ୍ ମଧ୍ୟ ପହଞ୍ଚିବା ସହିତ ସୋମବାର ବିଳମ୍ୱିତ ରାତି ପର୍ଯ୍ୟନ୍ତ ଅନୁସନ୍ଧାନ କରିଥିଲେ । ବିଧାୟକଙ୍କ ଘରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହାସହିତ ଚିଠିକୁ ନେଇ ତଦନ୍ତ ଆରମ୍ଭ କରାଯାଇଛି ।