ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ବଳ ବଢାଉଛି ବିଜେଡି । ବଢ଼ୁଛି ବିଜେଡିର ସଂଗଠନ । ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଜିଲ୍ଲାର ଦାୟୀତ୍ୱ ନେବା ପରେ ମୟୁରଭଞ୍ଜ ଜିଲ୍ଲା ଘନ ଘନ ଗସ୍ତ କରି ଦଳର ବଳ ବଢାଇବାରେ ଲାଗିଛନ୍ତି । ଗତ ସାଧାରଣ ନିର୍ବାଚନରେ ଥିବା ଦଳର ତୃଟିକୁ ତର୍ଜମଆ କରି ।ଗକୁ ବଢିବାର ରଣନୀତି କରୁଛନ୍ତି ପ୍ରଣବ ପ୍ରକାଶ । ବିଭିନ୍ନ ଦଳର କର୍ମୀ ଓ ନେତାଙ୍କୁ ଦଳରେ ସାମିଲ କରି ସଙ୍ଗଠନର କାୟା ବଢାଇବାରେ ଲାଗିଛନ୍ତି । ଏହି କ୍ରମରେ ଜିଲ୍ଲାର ମୋରୋଡ଼ା ନିର୍ବାଚନ ମଣ୍ଡଳୀର ରାସଗୋବିନ୍ଦପୁର ବ୍ଲକରେ ବିଜେଡିର ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବିଜେଡିର ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ, ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରୋଡ଼ା ନିର୍ବାଚନ ମଣ୍ଡଳୀର ସହ ପର୍ଯ୍ୟବେକ୍ଷକ ଜନ୍ମଜୟ ଲେଙ୍କା, ମୋରୋଡ଼ା ବିଧାୟକ ରାଜକିଶୋର ଦାସଙ୍କ ଉପସ୍ଥିତିରେ ଏହି ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ମହାମିଶ୍ରଣ ପର୍ବରେ ବିଜେପି, ଜେଏମ୍ଏମ୍ ଓ କଂଗ୍ରେସ ଦଳର ହଜାରେରୁ ଅଧିକ ସକ୍ରିୟ କର୍ମୀ ବିଜୁ ଜନତା ଦଳରେ ସାମିଲ୍ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ସୁଦାମ ମାରାଣ୍ଡି ପ୍ରେରଣା ଦେଇଥିଲେ । ଓଡ଼ିଶାର ଏକ ମାତ୍ର ଆଞ୍ଚଳିକ ଦଳ ଭାବେ ରାଜ୍ୟର ସର୍ବାଙ୍ଗୀନ ଉନ୍ନତିରେ ମୁଖ୍ୟମନ୍ତ୍ରୀଙ୍କ ଅବଦାନ ସମ୍ପର୍କରେ ଅବଗତ କରାଇଥିଲେ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ଦାସ । ଅନୁଷ୍ଠିତ ବିଜେଡିର ମହାମିଶ୍ରଣ ପର୍ବକୁ ଜିଲ୍ଲା ଉପସଭାପତି ଡ. ଆଦିତ୍ୟ ପଣ୍ଡା ପରିଚାଳନା କରିଥିବା ବେଳେ ଦେବାଶିଷ ମାରାଣ୍ଡି, ପ୍ରକାଶ ମହାନ୍ତି, ସୁବ୍ରତ ଛାଟୋଇଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।