ସିଏଏକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ଆସାମର ହଜାର ହଜାର ମହିଳା

ଗୌହାଟୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଆସାମର ହଜାର ହଜାର ମହିଳା ରାଜରାସ୍ତାକୁ ଓହ୍ଲାଇଛନ୍ତି ।  ‘ଅଲ୍‌ ଆସାମ ଷ୍ଟୁଡେଣ୍ଟ୍‌ସ୍‌ ୟୁନିୟନ୍‌’ ଏବଂ ଅନ୍ୟ ୩୦ଟି ସ୍ଥାନୀୟ ସଙ୍ଗଠନଙ୍କ ଆହ୍ଵାନକ୍ରମେ  ଏଭଳି ଦେଖିବାକୁ ମିଳିଥିଲା ।

ରାଜ୍ୟର ମୂଳ ସମ୍ପ୍ରଦାୟଙ୍କ ଭବିଷ୍ୟତ ସୁରକ୍ଷିତ ରଖିବା ନିମନ୍ତେ ‘ସିଏଏ’କୁ ପ୍ରତ୍ୟାହାର କରିନେବାକୁ ଶହ ଶହ ଗୃହିଣୀ ଏବଂ ବୟସ୍କା ମହିଳା କେନ୍ଦ୍ର ସରକାରଙ୍କ ଠାରେ ଦାବି କରିଥିଲେ। ପ୍ଲାକାର୍ଡ ଧରି ‘ସିଏଏ’ ବିରୋଧୀ ସ୍ଲୋଗାନ୍‌ ଦେଇ ମହିଳା ସଙ୍ଗଠନଗୁଡ଼ିକ କହିଛନ୍ତି ଯେ ‘ସିଏଏ’ ହେଉଛି ‘ଅସାମ୍ବିଧାନିକ’ ଓ ‘ସାମ୍ପ୍ରଦାୟିକ’ ଆଇନ। ପ୍ରତିଦାବକାରିଣୀ ମହିଳାମାନେ ସହରର ବିଭିନ୍ନ ଅଂଚଳରୁ  ପଦଯାତ୍ରା କରି ଲାଟସିଲ୍‌ ଖେଳପଡ଼ିଆରେ ସମବେତ ହୋଇଥିଲେ।

‘ଅଲ୍‌ ଆସାମ ଷ୍ଟୁଡେଟସ୍‌ ୟୁନିୟନ୍‌’ କହିଛି: ବିଶ୍ୱର ଯେ କୌଣସି ଆନ୍ଦୋଳନକୁ ସଫଳ କରାଇବା ନିମନ୍ତେ ମହିଳାମାନଙ୍କ ଅଂଶଗ୍ରହଣ ହେଉଛି ମୁଖ୍ୟ କଥା। ଆସାମ ଆନ୍ଦୋଳନକୁ ସଫଳ କରାଇବାରେ ମହିଳାମାନେ ବିଶେଷ ଅବଦାନ ଦେଇଥିଲେ। ‘ସିଏଏ’ ରଦ୍ଦ ହେବା ଯାଏଁ ଏହି କଠୋର, ଅହିଂସା ଏବଂ ଶୃଙ୍ଖଳିତ ଆନ୍ଦୋଳନ ଚାଲୁ ରହିବ।

ଅନ୍ୟପଟେ ସୋମବାର ସମାଜର ସବୁବର୍ଗର ପୁରୁଷ ଓ ମହିଳା ଏକତ୍ର ହୋଇ ରାଜ୍ୟ ତମାମ ‘ସିଏଏ’କୁ ବିରୋଧ କରି ଧାରଣା ଦେବେ।