ଭୁବନେଶ୍ୱର: ଫେବୃଆରୀ ୧ ରୁ ଖଣ୍ଡଗିରି ମେଳା ଆରମ୍ଭ ହେଉଥିବାବେଳେ ୫ ରୁ ଆରମ୍ଭ ହେବ ଯାତ୍ରା । ଏଥର ଖଣ୍ଡଗିରି ଯାତ୍ରାରେ ୧୨ଟି ଯାତ୍ରା ମଇଦାନକୁ ଓହ୍ଲାଇବାକୁ ଥିବାବେଳେ ୬ଟି ସ୍ଥାନରେ ଯାତ୍ରା ମଂଚସ୍ଥ ହେବ ।
ମାତ୍ର ଚଳିତ ବର୍ଷ ବରମୁଣ୍ଡା ବାରଭୂଜା କମିଟି ପକ୍ଷରୁ ଯାତ୍ରା ଦେଖିବାର ସୁଯୋଗ ମିଳିବ ନାହିଁ। ତେବେ ଏହି କମିଟି ପକ୍ଷରୁ ଆସୁଥିବା କୋଣାର୍କ ଓ ଶିବାନୀ ଗଣନାଟ୍ୟକୁ ଏଥର ଅନ୍ୟ ଯାତ୍ରା ପେଣ୍ଡାଲ୍ରେ ଦେଖିବାର ସୁଯୋଗ ମିଳିବ। ଖଣ୍ଡଗିରି ମହତାବ ଯାତ୍ରା ପେଣ୍ଡାଲ୍ ଓ ସନାତନ ସେବା ସମିତି ପଡ଼ିଆରେ ୩ଟି ପର୍ଯ୍ୟାୟରେ ଯାତ୍ରା ମଂଚସ୍ଥ ହେବ। ସେହିପରି ଇନ୍ଦିରା ସାଂସ୍କୃତିକ ସଂଘ ପକ୍ଷରୁ କଳିଙ୍ଗ ପେଣ୍ଡାଲ୍ ପଡ଼ିଆ ଏବଂ ମା’ ମଙ୍ଗଳା ସାଂସ୍କୃତିକ ପରିଷଦ ପକ୍ଷରୁ ଜାଗମରା ଫୁଟବଲ୍ ପଡ଼ିଆରେ ୨ଟି ପର୍ଯ୍ୟାୟରେ ନାଟକ ମଂଚସ୍ଥ ହେବ। ଖଣ୍ଡଗିରି ସାଂସ୍କୃତିକ ପରିଷଦ ପକ୍ଷରୁ ଜାଗମରା ମେଳଣ ପଡ଼ିଆ ଏବଂ ଜୟଦୁର୍ଗା ସାଂସ୍କୃତିକ ପରିଷଦ ପକ୍ଷରୁ ଜାଗମରା ଫୁଟବଲ ପଡ଼ିଆରେ ଗୋଟିଏ ଲେଖାଏ ଯାତ୍ରା ଦଳ ଯାତ୍ରା ଭେଟିଦେବେ। ଖଣ୍ଡଗିରି ଯାତ୍ରା ପରିଷଦର ସମ୍ପାଦକ ନୃସିଂହ ପ୍ରସାଦ ସୁନ୍ଦରାୟଙ୍କ ସୂଚନା ମୁତାବକ ଏଥର ୧୧ ଦିନ ଯାତ୍ରା ପରିବେଷଣ ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି।