ଏଥର ଅଫଲାଇନରେ ହେବ ମ୍ୟାଟ୍ରିକ ପରୀକ୍ଷା

ଦଶମ ଶ୍ରେଣୀ ପିଲାଙ୍କ ପାଇଁ ବଡ ଖବର। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରାଜ୍ୟର ସମସ୍ତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଚଳିତ ବର୍ଷ ଅଫଲାଇନ୍ ପରୀକ୍ଷା ହେବା ସହ ତିନୋଟି ପଦ୍ଧତିରେ ମୂଲ୍ୟ ନିର୍ଦ୍ଧାରଣ ହେବ ବୋଲି ସେ କହିଛନ୍ତି ।

ସେ କହିଛନ୍ତି , ୨ ବର୍ଷ ହେଲା କରୋନା ମହାମାରୀ ଲାଗି ରହିଛି । ପ୍ରଥମ ଥର ପାଇଁ ସମସ୍ତେ ଏପରି ମହାମାରୀର ସାମ୍ନା କରୁଛନ୍ତି । ତିନୋଟି ଲହରୀ ଗଲାଣି । ଏହା ମାନସିକ, ଶାରୀରିକ ଓ ଅର୍ଥନୈତିକ ଶକ୍ତିକୁ ପ୍ରଭାବିତ କରିଛି ।ପାଠପଢାକୁ ମଧ୍ୟ ପ୍ରଭାବିତ କରିଛି । ଅନେକ ପିଲା ସ୍କୁଲ ଯାଇ ପାରିନାହାଁନ୍ତି । ଲକଡାଉନ୍ ଓ ସଟଡାଉନ୍ ପାଇଁ ସ୍କୁଲ ବନ୍ଦ ରହିଛି । ଅନେକ ମାନସିକ ଭାରସାମ୍ୟ ହରାଇଛନ୍ତି । ଗତବର୍ଷ କରୋନା ପାଇଁ ଦଶମ ଶ୍ରେଣୀ ପରୀକ୍ଷା ହୋଇପାରିନଥିଲା । ନୂଆ ମୂଲ୍ୟାୟନ ପଦ୍ଧତିରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଏବର୍ଷ ୨୦୨୧-୨୨ ଶିକ୍ଷାବର୍ଷରେ କିଛି ସ୍ଥିତି ସୁଧୁରିଛି । ଏବର୍ଷର ମାଟ୍ରିକ ପରୀକ୍ଷା ପାଇଁ ରାଜ୍ୟ ସରକାର ଅନେକ ଆଲୋଚନା କରିଛନ୍ତି ।

ମାଧ୍ୟମିକ ଶିକ୍ଷା ପରିଷଦ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷାବିତଙ୍କ ଦାବି ଓ ଅନୁରୋଧକୁ ନଜରରେ ରଖି ସମେଟିଭ୍ ଆସେସମେଣ୍ଟ ୨ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ । ଅଫଲାଇନ୍ ପରୀକ୍ଷା ପାଇଁ ମତ ପ୍ରକାଶ ପାଇଛି । ତେଣୁ ଏଥର ଅଫଲାଇନ୍ ପରୀକ୍ଷା ହେବା ସହ ଦିନକୁ ଦୁଇଟି ବଦଳରେ ଗୋଟିଏ ବିଷୟରେ ପରୀକ୍ଷା ହେବ । କମ୍ ଦିନରେ ପରୀକ୍ଷା ଶେଷ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହାସହ ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ଏପ୍ରିଲ ୨୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ସେ ଆହୁରି କହିଛନ୍ତି ଯେ, ସମସ୍ତଙ୍କ ପାଇଁ ଅଫଲାଇନରେ ମାଟ୍ରିକ ପରୀକ୍ଷା ହେବ । ତିନୋଟି ରୂପରେ ପିଲାଙ୍କ ଖାତା ମୂଲ୍ୟାୟନ ହେବ । ସମେଟିଭ୍ ଆସେସମେଣ୍ଟ ୨ ପରୀକ୍ଷା ସବୁ ଛାତ୍ରଛାତ୍ରୀ ନିଜ ସ୍କୁଲରେ ଦେବେ । ଯଦି ଦରକାର ପଡେ ନିକଟତମ ସ୍କୁଲରେ ପିଲା ପରୀକ୍ଷା ଦେବେ । ଏନେଇ ମାଧ୍ୟମିକ ସ୍କୁଲ ଶିକ୍ଷା ପରିଷଦ ଗାଇଡଲାଇନ୍ ଜାରି କରିବେ । ଛାତ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ଯେଉଁ ପଦ୍ଧତିରେ ଛାତ୍ରଛାତ୍ରୀ ଭଲ ମାର୍କ ରଖିବେ ସେହି ମାର୍କକୁ ଚୂଡାନ୍ତ କରାଯିବ। ପ୍ରଥମ ଦୁଇଟି ହେଉଛି ବିକଳ୍ପ ଓ ତୃତୀୟରେ ନୂଆ ପଦ୍ଧିତରେ ଫଳ ନିର୍ଦ୍ଧାରଣ ହେବ ।ପ୍ରଥମ ପଦ୍ଧତିରେ ସମେଟିଭ୍ ଆସେସମେଣ୍ଟ୍ ୧ ଓ ଇଣ୍ଟରନାଲ ଆସେସମେଣ୍ଟକୁ ଦୁଇ ଗୁଣା କରି ଛାତ୍ରଛାତ୍ରୀଙ୍କ ମାର୍କ ବାହାରିବ। ଦ୍ୱିତୀୟ ପର୍ଯ୍ୟାୟରେ ସମେଟିଭ୍ ଆସେସମେଣ୍ଟ୨ ଆଧାରରେ ମାର୍କ ଦିଆଯିବ । ତୃତୀୟ ପଦ୍ଧତିରେ ବିଭିନ୍ନ ପରୀକ୍ଷା ଫଳ ମିଶାଇ ମାର୍କ ନିର୍ଦ୍ଧାରଣ କରାଯିବ । ଯେଉଁଥିରେ ଛତ୍ରଛାତ୍ରୀ ସର୍ବାଧିକ ନମ୍ବର ରଖିବେ ତାକୁ ହିଁ ଚୂଡାନ୍ତ ଫଳ ବୋଲି ଧରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।