ଏଥର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଶୋଭାଯାତ୍ରାରେ ବାଣ ଫୁଟା ଓ ଡିଜେ ଉପରେ ସମ୍ପୂର୍ଣ୍ଣ ରୋକ୍

ଏଥର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଶୋଭାଯାତ୍ରାରେ ବାଣ ଫୁଟା ଓ ଡିଜେ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇଛି । ନିଶାଡିଙ୍କ ଉପରେ କଡାନଜର ରଖା ଯିବ । ଆବଶ୍ୟକ ସ୍ଥଳେ ସ୍ପଟ ଉପରେ ସନ୍ଦିଗ୍ଧଙ୍କ ଆଲକହଲ ଡିଟେକସନ୍ ବ୍ରେଥ ଆନାଲିଶିଷ ଟେଷ୍ଟ କରାଯାଇ ଦଣ୍ଡିତ କରାଯିବ ବୋଲି ଶୀତଳଷଷ୍ଠୀ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆ ଯାଇଛି ।

ଶନିବାର ମନ୍ଦିର କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ର ନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

ସମସ୍ତ ନିଯୋଗ ସହିତ ସେବାୟତ ପ୍ରତିନିଧିଙ୍କ ସହିତ ଆଲୋଚନା କରି ୧୦ ତାରିଖରେ ବିବାହ ନୀତି ଏବଂ ୧୧ ତାରିଖରେ ଶୀତଳଷଷ୍ଠୀ ଶୋଭାଯାତ୍ରା ଆୟୋଜନ ହେବ ବୋଲି ଚୁଡାନ୍ତ ହୋଇଛି । ବିଗତ ବର୍ଷର ନୀତି ନିର୍ଘଣ୍ଟକୁ ମଧ୍ୟ କାର୍ଯ୍ୟକାରୀ କରାଯିବାକୁ ସମସ୍ତେ ସହମତି ହୋଇଥିଲେ ।

ତଦନୁଯାୟୀ ୧୦ ତାରିଖ ସୋମବାର ରାତିରେ ପ୍ରାୟ ୨୦୦ ଜଣ ବରଯାତ୍ରୀଙ୍କ ନିମନ୍ତେ ଭୋଜିଭାତ ହେବ । ଏହାପରେ ରାତି ୧୦ଟାରୁ ୧୧ଟା ମଧ୍ୟରେ ଗୌରୀ ମନ୍ଦିର ଅଭିମୁଖେ ବରଯାତ୍ରୀ ଯିବେ । ଭୋର ୩ଟା ସୁଦ୍ଧା ହସ୍ତଗଣ୍ଠୀ ପଡିବ। ନବ ଦମ୍ପତି ଦିନ ତମାମ ଗୌରୀଙ୍କ ପୀଠରେ ଅବସ୍ଥାନ କରିବେ । ରାତି ଠିକ୍ ୧୦ଟାରେ ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ । ଏହି ଫେରନ୍ତା ଶୋଭାଯାତ୍ରାରେ କେବଳ ପାରମ୍ପରିକ ନୃତ୍ୟ ଓ ବାଜା ବ୍ୟବସ୍ଥା କରିବାକୁ ଶୀତଳଷଷ୍ଠୀ କମିଟିକୁ ପରାମର୍ଶ ଦିଆଯାଇଛି ।

ଏଥର ବିବାହ ରାତିରେ ଶ୍ରୀଲିଙ୍ଗରାଜ ମନ୍ଦିର ଠାରେ ୨୦୦୦ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରିବାକୁ ସେବାୟତ ମାନେ ନିଷ୍ପତ୍ତି ନେଇଛନ୍ତି । ସେହିପରି ଶୀତଳଷଷ୍ଠୀରେ କେଦାରଗୌରୀ ମନ୍ଦିରରେ ମଧ୍ୟ ଭୋଜିଭାତର ଆୟୋଜନ ହେବ । ଆଜିର ବୈଠକରେ ଶ୍ୟାମ ସୁନ୍ଦର ମହାପାତ୍ର, ବିରଞ୍ଚି ନାରାୟଣ ପତି, ପ୍ରସନ୍ନ ପୂଜାପଣ୍ଡା, ସଚ୍ଚିକାନ୍ତ ପୂଜାପଣ୍ଡା, କମଳାକାନ୍ତ ବଡୁ, ରାଜେନ୍ଦ୍ର ସମର୍ଥା,ପ୍ରଶାନ୍ତ ସମର୍ଥା, ଶୀତଳଷଷ୍ଠୀ କମିଟିର ପୃଥ୍ୱୀକାନ୍ତ ମହାପାତ୍ର, ସନତ ମିଶ୍ର, ଥାନାଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ବିଷୋୟୀ ସେବାୟତ, ଆପଟିଆଙ୍କ ସମେତ ମନ୍ଦିର ପୁରୋହିତ,ଚର୍ଚ୍ଚେିଇତ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।