ଚୋର ଘରେ ସୋ-ରୁମ : ହାଇପ୍ରୋଫାଇଲ ଲୁଟେରା ଗିରଫ

ଭୁବନେଶ୍ବର  : ଲୁଟେରା ଜଣେ ହେଲେ ଲୁଟର ସଂଖ୍ୟା ଅନେକ । ରାଜଧାନୀରେ କମିସନରେଟ ପୋଲିସର ନିଦ ହଜାଇ ଦେଇଥିଲେ ଏହି ଯୁବକ ଜଣକ । ଯାହାଠାରୁ ଜବତ ହୋଇଛି ପ୍ରାୟ ୮୦ ଲକ୍ଷ ଟଙ୍କାର ସାମଗ୍ରୀ । ଯେଉଁଥିରେ ରହିଛି ସୁନା  ଓ ରୁପା ଅଳଙ୍କାର ।ସିନେମା ଷ୍ଟାଇଲରେ ଲୁଟ । ଖୁବ ସହଜରେ ଘରେ ଆଉ ଦୋକାନରେ କଳା କନା ବୁଲାଇ ଦେଉଥିଲା ଲୁଟେରା । ଗଦା ଗଦା ଚୋରି ଜିନିଷ ଧରା ପଡିବା ପରେ ସାମ୍ନାକୁ ଆସିଛି ଏମିତି ଏକ ହାଇ ପ୍ରୋଫାଇଲ ଲୁଟେରାର କାରନାମା । ଖୋର୍ଦ୍ଧା ବାଘମାରୀ ଅଟ୍ରୀ ଗାଁର ସଂଜୟ ନିଶଙ୍କ କମିଶନରେଟ୍ ପୋଲିସ ଜାଲରେ ଫଶି ଯାଇଛି । ତାପାଖରୁ ଧରା ପଡିଥିବା ଜିନିଷ ଦେଖି ପୋଲିସର ବି ହୋସ ଉଡି ଯାଇଛି । ୯୦୦ ଗ୍ରାମର ସୁନା ଅଳଙ୍କାର , ୮ଶହ ୫୦ ଗ୍ରାମ ରୁପା ଅଳଙ୍କାର , ୨୬ଟି ଲାପଟପ , ୪୩ ଟି ଦାମୀ ମୋବାଇଲ , ୩ ଟି ଟାବଲେଟ , ୨ ଟି ଏଲଇଡି ଟିଭି ,୨୭ ଟିହାତଘଣ୍ଟା , ୩ଟି କ୍ୟାମେରା ସହିତ ଆହୁରି ଅନେକ ଘରକରଣା ସାମଗ୍ରୀ ।

ବେଶ କିଛି ବର୍ଷ ଧରି ମାତିଥିଲା ସଞ୍ଜୟ । ଇନଫୋସିଟି ଓ ଚନ୍ଦ୍ରଶେଖରପୁର ଥାନା ଅଧୀନରେ ୧୭ଟି ଚୋରି ମାମଲା ରୁଜୁ ହୋଇସାରିଥିଲା । ପୋଲିସ କେବଳ ଅନ୍ଧାରରେ ବାଡି ବୁଲଉଥିଲା । ଗୋଟିଏ ଲୁଟ ପରେ ମୋବାଇଲ୍ ସିମ ବଦଳାଇ ଦେଉଥିଲା ସଞ୍ଜୟ । ତେଣୁ ପୋଲିସ ତାକୁ ଟ୍ରାକ କରିବା ମୁସ୍କିଲ ଥିଲା । ଗତକିଛି ଦିନ ତଳେ ଖଣ୍ଡଗିରି ବାରଭୁଜା କମ୍ପ୍ଲେକ୍ସରେ ଏକ ମୋବାଇଲ ଦୋକାନରୁ ଲୁଟ ହୋଇଥିଲା । ଏଠିକାର ସିସିଟିଭି କ୍ୟାମେରାରେ ଏହି ଲୁଟେରାଙ୍କ ଭିଜୁଆଲ ରହିଥିଲା । ଯାହା ସଞ୍ଜୟଙ୍କ ସଂପର୍କରେ ଦେଇଥିଲା ସୁରାଗ । ଲୁଟେରା ସଂଜୟର ଟାର୍ଗେଟ୍ ଥିଲା ଦିନ ସମୟରେ ତାଲା ପଡିଥିବା ଘରୁ ଲୁଟ କରିବା । ଆଉ ରାତିରେ ବିଭିନ୍ନ ମୋବାଇଲ ଦୋକାନ ସଟର ତାଡି ତାକୁ ଖାଲି କରିଦେବା । ସଂଜୟ କେବଳ ଲୁଟ କରୁନଥିଲା । ଲୁଟ ପରେ ଘରର ପୁରୁଷମାନଙ୍କ ବସ୍ତ୍ରକୁ ଘରୁ ବାହାର ରାସ୍ତା ପର୍ଯ୍ୟନ୍ତ ପକାଇ ପକାଇ ଯାଉଥିଲା । ସଞ୍ଜୟର ହତିଆର ଥିଲା କେବଳ ଗୋଟିଏ ପେଚକସ , ଗୋଟିଏ ଛେଣି ଓ ମାର୍ତ୍ତୁଲ । ଏହାରି ସାହାଯ୍ୟରେ ସେ ତାଲା ତାଡିଦେବାରେ ଥିଲା ନିପୁଣ । ତେବେ ତା ସହିତ ଆଉ କିଏ ସହଯୋଗୀ ଅଛନ୍ତି  ଏବଂ ଚୋରା ସାମଗ୍ରୀ ସେ କୋଉଠି ବିକୁଥିଲା ତାର ଖୋଳତାଡ କରୁଛି ପୋଲିସ ।