ରୁଷର ତୈଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ୟୁକ୍ରେନ ଉପରେ ରୁଷ କରୁଥିବା ଆକ୍ରମଣକୁ ବିରୋଧ କରି ଆଜି ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ। ପୂର୍ବରୁ ରୁଷ ଉପରେ ଆର୍ଥିକ କଟକଣା ଲଗାଇଥିବା ବାଇଡେନ ଏବେ ରୁଷର ତୈଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଆମଦାନୀକୁ ବନ୍ଦ କରିବା ପାଇଁ ଅନୁରୋଧ କରିବା ପରେ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ତେବେ ଆମେରିକା ସମତେ ରୁଷ ଉପରେ ଅନେକ ଦେଶ କଟକଣା ଲଗାଇଥିଲେ ବି ଯୁଦ୍ଧ ରୋକିନାହିଁ ରୁଷ।

ଏହା ପୂର୍ବରୁ ରୁଷ ଉପରେ ଆର୍ଥିକ କଟକଣା ଲଗାଇଥିଲେ ଆମେରିକା। ଏହାର ଜବାବ ଦେବାକୁ ଯାଇ ଗତକାଲି ରୁଷ ପ୍ରାୟ ୩୧ଟି ଦେଶକୁ ନିଜ ଶତ୍ରୁ ତାଲିକାରେ ସାମିଲ କରିଥିଲା। ଏହି ସୂଚୀରେ ଆମେରିକା, ଜାପାନ, ବ୍ରିଟେନ ଭଳି ଦେଶ ଥିବା ଦେଖାଯାଇଥିଲା। ଚୀନର ଗଣମାଧ୍ୟମ ସିଜିଟିଏନ ଦାବି କରିଥିଲା ଯେ ରୁଷ ଏହାର ଶତ୍ରୁ ଦେଶ ତାଲିକାକୁ ଅନୁମୋଦନ କରିଛି। ୟୁକ୍ରେନ ବ୍ୟତୀତ ଆମେରିକା, ବ୍ରିଟେନ, ଜାପାନ ଏବଂ ୟୁରୋପୀୟ ସଂଘରେ ସଦସ୍ୟ ଥିବା ଦେଶ ଏହି ତାଲିକାରେ ରହିଛନ୍ତି। ୟୁରୋପୀୟ ସଂଘରେ ୨୭ଟି ଦେଶ ରହିିଥିବା ବେଳେ ମୋଟ ୩୧ଟି ଦେଶକୁ ଶତ୍ରୁ ଦେଶ ତାଲିକାରେ ସାମିଲ କରିଛି ରୁଷ।

ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ପରେ ଏହି ଦେଶଗୁଡ଼ିକ ରୁଷ ଉପରେ ଆର୍ଥିକ କଟକଣା ଲଗାଇବା ସହ ଅନେକ ପ୍ରକଳ୍ପକୁ ସ୍ଥଗିତ ରଖିଥିଲେ। ଏହାର କଡ଼ା ଜବାବ ଦିଆଯିବ ବୋଲି ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କହିଥିବା ବେଳେ ଏବେ ରୁଷ ଏହାର ଜବାବ ଦେଇଛି। କଟକଣା ଲଗାଇଥିବା ବା ୟୁକ୍ରେନ ଉପରେ ହୋଇଥିବା ଯୁଦ୍ଧକୁ ବିରୋଧ କରି ଯେଉଁ ଦେଶ ରୁଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ, ସେମାନଙ୍କୁ ଶତ୍ରୁ ତାଲିକାରେ ରୁଷ ସାମିଲ କରିଥିଲା।