ମାର୍କେଟ ବିଲ୍ଡିଂ ଘଟଣାର ମାଷ୍ଟରମାଇଣ୍ଡ ଗିରଫ

ଗର୍ଲଫ୍ରେଣ୍ଡ ପାଇଁ ଗଣ୍ଡଗୋଳ

ଭୁବନେଶ୍ବର: ଗିରଫ ହେଲେ ମାର୍କେଟ ବିଲ୍ଡିଂ ଗୁଣ୍ଡାରାଜ ଘଟଣାର ମୁଖ୍ୟ ଅଭିଯୁକ୍ତ। ଦୀର୍ଘ ୧୦ ଦିନ ପରେ ମାଷ୍ଟରମାଇଣ୍ଡକୁ ଗିରଫ କରିଛି କମିସନରେଟ ପୋଲିସ । ଆଉ ଘଟଣା ପଛରେ କାହାଣୀ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଗାର୍ଲଫ୍ରେଣ୍ଡ ପାଇଁ ମାର୍କେଟ ବିଲ୍ଡିଂରେ ଖଣ୍ଡଯୁଦ୍ଧ ।

ବଏଫ୍ରେଣ୍ଡ ସହ ଘଂଟା କିଣିବାକୁ ଆସିଥିଲେ ଗାର୍ଲଫ୍ରେଣ୍ଡ । ଏହି ସମୟରେ ପହଂଚିଥିଲେ ଗାର୍ଲଫ୍ରେଣ୍ଡଙ୍କ ଭାଇ । ଦୋକାନ ଭିତରେ ଦୁହିଁଙ୍କ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ ଓ ଏଥିରେ ହସ୍ତକ୍ଷେପ କରିଥିଲେ ଦୋକାନ ମାଲିକ । ଏହାକୁ ଟାର୍ଗେଟ କରି ବିଜେବି କଲେଜ ପଛପଟେ ରହୁଥିବା ଚିଣ୍ଟୁ, ସାଇ, ଉଦିତ୍ କିଛି ଯୁକ୍ତ ତିନି ଛାତ୍ର ମିଶି ମାର୍କେଟ ବିଲ୍ଡିଂରେ ସୃଷ୍ଟି କରିଥିଲେ ଭୟର ବାତାବରଣ । ଏହି ଘଟଣାରେ ପୁର୍ବରୁ ୨୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଫେରାର ଥିବା ୩ ମାଷ୍ଟରମାଇଣ୍ଡ ସମେତ ୬ ଜଣଙ୍କୁ ଗିରଫ କରିଛି ପୋଲିସ।

ସେମାନେ ହେଲେ ବଡଗଡ ଅଂଚଳର ରାକେଶ ମହାନ୍ତି ଓରଫ ଚିଣ୍ଟୁ(୨୪), ସାଇପ୍ରୀତମ ପଟ୍ଟନାୟକ ଓରଫ ପ୍ରୀତମ(୧୯) ଓ ମଂଚେଶ୍ୱର ଅଂଚଳର ଉଦିତ ନାରାୟଣ ପ୍ରଧାନ ଓରଫ କାହ୍ନା(୨୧), ଧଉଳି ଅଂଚଳର ପଙ୍କଜ ରାଜ ଓରଫ ବାପି(୩୩),ଓଲଡଟାଉନର ସ୍ମୃତି ସାଗର ମହାପାତ୍ର ଓରଫ ପିନୁ(୩୪) ଏବଂ ମାର୍କେଟ ବିଲଡିଂର ସୁରଜ ସାହା ଓରଫ ସୁରଜ(୧୯) । ପୋଲିସ ଏମାନଙ୍କ ବିରୋଧରେ କେସ ନମ୍ବର ୧୬/୨୦ ଦଫା ୧୪୭, ୩୪୧, ୩୨୩, ୩୨୪, ୩୨୫, ୨୯୪, ୩୮୬, ୩୦୭, ୩୯୫, ୪୨୭, ୫୦୬, ୧୪୮, ୧୪୯ ଓ ୨୭ ଆର୍ମ୍ସ ଆକ୍ଟ ଏବଂ ୭ କ୍ରିମିନାଲ ଲ’ ଆମେଣ୍ଡ ମେଂଟ ଆକ୍ଟରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି ।