ହୀରାକୁଦରେ ଡଙ୍ଗା ବୁଡିବା ଘଟଣା, ଏଯାବତ୍ ୭ଜଣଙ୍କ ମୃତଦେହ ଉଦ୍ଧାର

ଜଣେ ଏବେବି ନିଖୋଜ

ହୀରାକୁଦରେ ଡଙ୍ଗା ବୁଡିବା ଘଟଣାରେ ମିଳିଲା ଆଉ ୬ଜଣଙ୍କ ମୃତଦେହ । ରେସକ୍ୟୁ ଟିମ୍ ୩ଜଣ ମହିଳା ଓ ୩ଜଣ ଶିଶୁଙ୍କ ମୃତଦେହ ଉଦ୍ଧାର କରିଛି । ତେବେ ଡଙ୍ଗା ବୁଡ଼ି ଘଟଣାରେ ମୋଟ୍ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଜଣେ ଏବେବି ନିଖୋଜ ରହିଛନ୍ତି।

ଶନିବାର ସକାଳ ୫ଟାରୁ ପୁଣି ରେସକ୍ୟୁ ଅପରେସନ ଆରମ୍ଭ ହୋଇଥିଲା । ସକାଳୁ ପ୍ରଥମେ ୩ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପରେ ଏବେ ଆଉ ୩ଜଣଙ୍କ ମୃତଦେହ ମିଳିଛି । ଉଦ୍ଧାର ମୃତଦେହ ମଧ୍ୟରେ ୩ ଶିଶୁ ଓ ୩ଜଣ ମହିଳା ରହିଛନ୍ତି । ମୃତକ ହେଲେ ନବୀନ ରାଠିଆ, ପିକେଶ୍ୱର ରାଠିଆ, ରାଧିକା ରାଠିଆ, ଲଛମିନ ରାଠିଆ, ତେରବସାଇ ରାଠିଆ ଓ କୁନାଲ ରାଠିଆ । ସମସ୍ତ ମୃତକ ଛତିଶଗଡ଼ ଖରସିଆଁର ବୋଲି ଜଣାପଡିଛି । ୨ଟି ଓଡ୍ରାଫ ଟିମ୍ ଏବେ ସର୍ଚ୍ଚ ଅପରେସନ ଜାରି ରଖିଥିବାବେଳେ ସ୍କୁବା ଡ୍ରାଇଭିଂ ଟିମ ଏହି ସର୍ଚ୍ଚ ଅପରେସନ ସାମିଲ୍ ଅଛନ୍ତି । ଡ଼ଙ୍ଗାରେ ପ୍ରାୟ ୫୪ଜଣ ଯାତ୍ରୀ ବରଗଡ ବାଞ୍ଜିପାଲିରୁ ଝାରସୁଗୁଡା ସରଧା ଡ଼ଙ୍ଗା ଘାଟକୁ ଆସୁଥିଲେ ।

ସେମାନଙ୍କ ମଧ୍ୟରେ ୪୫ଜଣ ଛତିଶଗଡ ଅଞ୍ଚଳର ଥିଲେ । ସେମାନେ ବରଗଡ଼ ପଥରାସେନୀକୁ ପୂଜାର୍ଚ୍ଚନା ପାଇଁ ଯାଇ ଫେରୁଥିବବେଳେ ସରଧା ଘାଟ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଡଙ୍ଗାରେ ଥିବା ବରଗଡ ଓ ଝାରସୁଗୁଡା ଅଞ୍ଚଳର ୯ ଜଣ ତଥା ଛତିଶଗଡ଼ର ୩୭ ଜଣ ଜୀବିତ ଉଦ୍ଧାର ହୋଇଥିବା ଜଣାପଡିଛି । ଛତିଶଗଡର ଯାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛତିଶଗଡ ପ୍ରଶାସନ ନିଜ ଜିଲ୍ଲାକୁ ନେଇଥିବା ଜଣାପଡ଼ିଛି ।