ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ଚିଲିକା ବିଧାୟକ

ବିଜେପି କର୍ମୀଙ୍କ ଆକ୍ରମଣରେ ଚିଲିକା ବିଧାୟକ ଗୁରୁତର । ହସ୍ପିଟାଲରେ ଭର୍ତ୍ତି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଅଭାବନୀୟ ଘଟଣା । ବିଜେପି କର୍ମୀଙ୍କ ଆକ୍ରମଣରେ ଚିଲିକା ବିଧାୟକ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ବାଣପୁରରେ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଥିବାରୁ ବିଜେପିର କର୍ମୀମାନେ ଏକ ବଡ ଶୋଭାଯାତ୍ରା କରୁଥିଲେ ।

ବିଜେପିର ଶହଶହ କର୍ମୀ ସମ୍ମୁଖରେ ପହଞ୍ଚିଥିବା ବେଳେ ଅନୁରୂପ ଭାବେ ଚିଲିକା ବିଧାୟକ ସେହି ଶୋଭାଯାତ୍ରା ମଧ୍ୟରେ ପ୍ରବେଶ କରିବାକୁ ପ୍ରୟାସ କରୁଥିଲେ । ଏପରିକି କର୍ମୀ ରାସ୍ତା ନ ଛାଡିବାରୁ ବିଧାୟକଙ୍କ ନିଜ ଗାଡିକୁ ଜୋରରେ ଗଡେଇଦେଇଥିଲେ । ଫଳରେ ବାଣପୁର ଆଇଆଇସିଙ୍କ ସମେତ ବହୁ ବିଜେପି ମହିଳା କର୍ମୀଙ୍କ ଗୋଡ଼ ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି ।

ଏଥିରେ ୪ରୁ ୫ ଜଣ ମହିଳା ଆହତ ହୋଇଥିଲେ । ଏଥିରେ କିଛି ପୋଲିସ କର୍ମୀ ମଧ୍ୟ ଆହତ ହୋଇଥିବା ସୂଚନା । ଏହାପରେ ଶୋଭାଯାତ୍ରାରେ ସାମିଲ ଥିବା ବିଜେପି କର୍ମୀମାନେ ଉତ୍ତ୍ୟକ୍ତ ହୋଇ ବିଧାୟକଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ ।