ଏପ୍ରିଲ ୨୬ରୁ ସିବିଏସଇର ଟର୍ମ-୨ ପରୀକ୍ଷା ଆରମ୍ଭ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପକ୍ଷରୁ ଟର୍ମ-୨ ବୋର୍ଡ ପରୀକ୍ଷାସୂଚୀ ପ୍ରକାଶ ପାଇଛି । ଉଭୟ ୧୦ମ ଓ ୧୨ଶ ଶ୍ରେଣୀର ଟର୍ମ-୨ ପରୀକ୍ଷା ଏପ୍ରିଲ ୨୬ରୁ ଆରମ୍ଭ ହେବ । ତେବେ ୧୦ମ ବୋର୍ଡ ପରୀକ୍ଷା ମେ ୨୪ ଓ ୧୨ଶ ବୋର୍ଡ ପରୀକ୍ଷା ଜୁନ ୧୫ରେ ଶେଷ ହେବ । ଏସବୁ ପରୀକ୍ଷା ସବଜେକ୍ଟିଭ ମୋଡ୍ ( ବର୍ଣ୍ଣନାତ୍ମକ) ରେ ହେବ ।

ପ୍ରତ୍ୟେକ ବିଷୟର ପରୀକ୍ଷା ୨ ଘଣ୍ଟା ପାଇଁ ହେବ । ଏଗୁଡ଼ିକ ସାଢେ ୧୦ଟାରୁ ସାଢେ ୧୨ଟା ମଧ୍ୟରେ ହେବ । ଏସବୁ ପରୀକ୍ଷା ଅଫଲାଇନ ମୋଡରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ହେବ ।

ଅନ୍ୟପକ୍ଷରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏସବୁ ପରୀକ୍ଷା ସଂପୂର୍ଣ୍ଣ କରୋନା କଟକଣା ମାନି ଅନୁଷ୍ଠିତ ହେବ । ଛାତ୍ରଛାତ୍ରୀମାନେ ମାସ୍କ ପିନ୍ଧି ଆସିବା ସହ ନିଜସ୍ବ ସାନିଟାଇଜର ଆଣିବେ । ପରୀକ୍ଷା ହଲରେ ସାମାଜିକ ଦୂରତ୍ବ ପାଳନ କରାଯିବ । ସେହିପରି ପିଲା ଅସୁସ୍ଥ କିମ୍ବା ତାହାର ଯେପରି କୌଣସି କୋଭିଡ୍ ଲକ୍ଷଣ ନଥିବ ତାହା ଅଭିଭାବକ ନିଶ୍ଚିତ କରିବେ । ଅଭିଭାବକ ପିଲାମାନଙ୍କୁ କୋଭିଡ୍ କଟକଣା ସଂପର୍କରେ ସଚେତନ କରିବେ ।