ଭୁବନେଶ୍ୱର: ଆସନ୍ତାକାଲିଠାରୁ ମାଟ୍ରିକ୍ ପରୀକ୍ଷା । ଯାହା ମାର୍ଚ୍ଚ ୨ରେ ଶେଷ ହେବ । ତେବେ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସେ କହିଛନ୍ତି, ପିଲାମାନେ ଚାପମୁକ୍ତ ହୋଇ ପରୀକ୍ଷା ଦିଅନ୍ତୁ। ଏଇଟା ସେମାନଙ୍କ ଛାତ୍ର ଜୀବନର ପ୍ରଥମ ବଡ଼ ପରୀକ୍ଷା। ଏହାପରେ ଅନେକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ସେମାନେ ସାମ୍ନା କରିବେ। ପିଲାମାନେ ଭୟ ନ କରି ନିଶ୍ଚିନ୍ତ ହୋଇ ପରୀକ୍ଷା ଦିଅନ୍ତୁ।
ଆସନ୍ତାକାଲି ଫେବ୍ରୁଆରି ୧୯ରେ ଓଡ଼ିଆ ପରୀକ୍ଷା ଥିବା ବେଳେ ଫେବ୍ରୁଆରି ୨୨ (ଶନିବାର)ରେ ଇଂରାଜୀ, ଫେବ୍ରୁଆରି ୨୪ (ସୋମବାର)ରେ ସଂସ୍କୃତ/ହିନ୍ଦୀ, ଫେବ୍ରୁଆରି ୨୬ (ବୁଧବାର)ରେ ଗଣିତ, ଫେବ୍ରୁଆରି ୨୮ (ଶୁକ୍ରବାର)ରେ ସାଧାରଣ ବିଜ୍ଞାନ ଓ ମାର୍ଚ୍ଚ ୨ (ସୋମବାର)ରେ ସାମାଜିକ ବିଜ୍ଞାନ ପରୀକ୍ଷା ରହିଛି।
ଉତେଜନା ପ୍ରବଣ କେନ୍ଦ୍ର ଭାବେ ଚିହ୍ନଟ ହୋଇଥିବା ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ସ୍କୁଲମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ପିଲାମାନଙ୍କୁ ଭୟ ନକରି ନିଶ୍ଚିନ୍ତରେ ପରୀକ୍ଷା ଦେବାକୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛି।
ଚଳିତବର୍ଷ ୨୮୮୮ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୬୦ ହଜାର ୬୦୫ ଜଣ ମାଟ୍ରିକ୍ ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରେ ୫ ଲକ୍ଷ ୪୭ ହଜାର ୭୬୧ଟି ଜଣ ହାଇସ୍କୁଲ, ୯ ହଜାର ୭୭୧ ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ୩ ହଜାର ୩୩୭ଜଣ ମଧ୍ୟମା ପରୀକ୍ଷାର୍ଥୀ ରହିଛନ୍ତି। ପରୀକ୍ଷାର ସୁପରିଚାଳନା ଓ କପି ରୋକିବା ପାଇଁ ଜିଲ୍ଲାସ୍ତରରେ ୬୯ଟି ଫ୍ଲାଇଂ ସ୍କ୍ଵାଡ୍ ଓ ପରିଷଦସ୍ତରରେ ୪୪ଟି ସ୍ୱତନ୍ତ୍ର ସ୍କ୍ଵାଡ୍ ଗଠନ କରାଯାଇଛି। ଏହାପରେ ମାର୍ଚ୍ଚ ୧୮ରୁ ଏପ୍ରିଲ ୧୦ମଧ୍ୟରେ ଉତର ଖାତା ମୂଲ୍ୟାୟନ କରାଯିବ।