ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ଉପରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ । ଗୁଇନ୍ଦା ରିପୋର୍ଟରୁ ଏହି ସୂଚନା ମିଳିବା ପରେ ସହରବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ସମ୍ଭାବ୍ୟ ଆକ୍ରମଣର ମୁକାବିଲା କରିବାକୁ  ପୁରୀ ପୁଲିସ ପ୍ରସ୍ତୁତ ଥିବା କହିଛନ୍ତି ଏସ୍‌ପି ଉମାଶଙ୍କର ଦାସ।

ଏହି ସୂଚନା ମିଳିବା ପରେ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସମୁଦ୍ର ଉପକୂଳ ଅଞ୍ଚଳରେ ନାଭାଲ ଓ କୋଷ୍ଟଗାର୍ଡ ତରଫରୁ ପାଟ୍ରୋଲିଂକୁ ଜୋରଦାର କରାଯାଉଥିବା ମଧ୍ୟ ସେ କହିଛନ୍ତି। ଏସ୍‌ପି କହିଛନ୍ତି, ସମୁଦ୍ର କୂଳ ଅଞ୍ଚଳରେ ବିଳମ୍ବିତ ରାତିରେ ବୁଲାବୁଲି କରୁଥିବା ଅଜଣା ଲୋକଙ୍କ ଉପରେ ନଜର ରଖିବା ଲାଗି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ପୁରୀ ସହରକୁ ସଂଯୋଗ କରିଥିବା ସମସ୍ତ ରାସ୍ତା ଓ ସହର ମଧ୍ୟରେ ଯାଞ୍ଚ କରାଯାଉଛି। ଶ୍ରୀମନ୍ଦିରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି। ଶ୍ରୀମନ୍ଦିର ବାହାରେ ଚବିଶ ଘଣ୍ଟିଆ ପୁଲିସ୍‌ ପହରା ରହିଛି। ୱାଚ୍‌ ଟାୱାର ମାଧ୍ୟମରେ ବଡ଼ଦାଣ୍ଡ ଓ ମନ୍ଦିର ଚାରିପାଖ ଉପରେ କଡ଼ା ନଜର ରଖାଯାଇଛି। ସେହିଭଳି ସିସିଟିଭି ଜରିଆରେ ସୁରକ୍ଷା ବ୍ୟବସ୍ଥା ଉପରେ ପୁଲିସ୍‌ ନଜର ରଖିଛି।

ସମୁଦ୍ରରେ ଚଳାଚଳ କରୁଥିବା ଡଙ୍ଗାଗୁଡ଼ିକ ମଧ୍ୟରୁ ବହୁ ଡଙ୍ଗା ପଞ୍ଜୀକରଣ କରିନାହାନ୍ତି। ଏସବୁକୁ ଯାଞ୍ଚ  କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଏସ୍‌ପି ସୂଚନା ଦେଇଛନ୍ତି।