ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜ୍‌ରେ ଆତଙ୍କବାଦୀ ଆକ୍ରମଣ; ୫ ମୃତ, ତିନି ଆହତ

କରାଚି: ସୋମବାର ଦିନ ପ୍ରାୟ ୧୦ଟା ବେଳେ କରାଚିସ୍ଥିତ ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜ୍‌ରେ ଆତଙ୍କବାଦୀମାନଙ୍କ ଆକ୍ରମଣ ‌କାରଣରୁ ଅନ୍ୟୂନ ପାଞ୍ଚଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ତିନିଜଣ ବ୍ୟକ୍ତି ଆହତ ହୋଇଛନ୍ତି।

ପ୍ରାପ୍ତ ରିପୋର୍ଟ ଅନୁସାରେ, ଚାରି ଜଣ ଆତଙ୍କବାଦୀ ଆକ୍ରମଣ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଦୁଇ ଜଣ ନିରାପତ୍ତା ବଳଙ୍କ ଗୁଳି ଚୋଟରେ ପ୍ରାଣ ହରାଇଛନ୍ତି। ଗୁଳି ଚଳାଇବା ପରେ ଆତଙ୍କବାଦୀମାନେ ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ନିକଟରେ ଗ୍ରେନେଡ୍ ନିକ୍ଷେପ କରିଥିଲେ। ଆହତମାନଙ୍କ ମଧ୍ୟରେ ଜଣେ ପୁଲିସ କର୍ମଚାରୀ ଅଛନ୍ତି।

କରାଚି ପୁଲିସ ମୁଖ୍ୟ ଗୁଲାମ ନବି ମେମୋନ୍ ଗଣମାଧ୍ୟମକୁ କହିଛନ୍ତି, ଗୋଟାଏ ରୂପା ରଙ୍ଗର କରୋଲା କାର୍‌ରେ ଆସିଥିବା ଚାରିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଅଟ୍ଟାଳିକା ମଧ୍ୟରେ ଆଉ ଆତଙ୍କବାଦୀ ଅଛନ୍ତି କି, ନାହାନ୍ତି ତାହା ସ୍ପଷ୍ଟ ହୋଇନାହିଁ।

ଅନ୍ୟ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଏବେ ମଧ୍ୟ ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜ୍ ଅଟ୍ଟାଳିକା ମଧ୍ୟରେ ଦୁଇଜଣ ଆତଙ୍କବାଦୀ ଆତ୍ମଗୋପନ କରିଛନ୍ତି। ଅଟ୍ଟାଳିକା ଚାରିପଟେ ବ୍ୟାପକ ସ୍ପେସାଲ୍‌ ଫୋର୍ସ ମୁତୟନ କରାଯାଇଛି।

କରାଚିର ସମସ୍ତ ଡାକ୍ତରଖାନାରେ ଜରୁରୀ ପରିସ୍ଥିତି ଜାରି କରାଯାଇଛି ଏବଂ ଚୁନ୍ଦ୍ରିଗର ରୋଡ୍ ସମ୍ପୂର୍ଣ୍ଣ ସିଲ୍‌ କରାଯାଇଛି।

ସିନ୍ଧ୍ ରାଜ୍ୟପାଳ ଇମ୍ରାନ୍ ଇସ୍‌ମାଇଲ୍ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ଆକ୍ରମଣକାରୀଙ୍କୁ ଜୀବନ୍ତ ଧରି ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ କରିବାକୁ ସେ ନିରାପତ୍ତା ଏଜେନ୍ସିଙ୍କୁ କହିଛନ୍ତି।