ମଲାଲାଙ୍କୁ ଗୁଳି ମାରିଥିବା ଆତଙ୍କବାଦୀ ଜେଲ୍‌ରୁ ଫେରାର

ଇସ୍‌ଲାମାବାଦ: ପାକିସ୍ତାନର ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫ୍‌ଜାଇଙ୍କୁ ଗୁଳି ମାରିଥିବା ତାଲିବାନଆତଙ୍କବାଦୀ ପାକ୍ ସେନା ଜେଲରୁ ଫେରାର ହୋଇଯାଇଛି । ଏହସାନୁଲ୍ଲା ଏହସାନ୍ ନାମକ ଏହି ଆତଙ୍କବାଦୀ ୨୦୧୪ ରେ ପେଶୱାର ସେନା ସ୍କୁଲ୍‌ରେ ଆତଙ୍କବାଦୀ ଆକ୍ରମଣରେ ମଧ୍ୟ ସାମିଲ ଥିଲା । ଏହି ଆକ୍ରମଣରେ ୧୩୨ ଛାତ୍ରଛାତ୍ରୀ ଆତଙ୍କବାଦୀ ଗୁଳି ମାଡରେ ପ୍ରାଣ ହରାଇଥିଲେ ।

ଏହସାନୁଲ୍ଲା ଏହସାନ୍‌ର ଏକ ଅଡିଓ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି କ୍ଲିପ ରିଲିଜ କରି ଆତଙ୍କବାଦୀ ଏହସାନୁଲ୍ଲା କହିଛି ଯେ, ସେ ୧୧ ଜାନୁଆରୀରୁ ପାକିସ୍ତାନ ସୁରକ୍ଷା ଏଜେନ୍ସିଙ୍କ କବଳରୁ ଖସି ପଳାଇଛି । ଏହାସହ ଏହସାନୁଲ୍ଲା ପାକିସ୍ତାନ ସେନା ବିରୋଧରେ ସାଂଘାତିକ ଖୁଲାସା କରିଛି । ସେ କହିଛି ଯେ, ସେନା ନିକଟରେ ଆତ୍ମସମର୍ପଣ ସମୟରେ ସେନା ଦେଇଥିବା ପ୍ରତିଶ୍ରୁତି ପୂରଣ କରୁନାହିଁ । ସେନା ସହ ଏକ ବୁଝାମଣା ଅନୁସାରେ ୫ ଫେବୃଆରୀ ୨୦୧୭ରେ ସେନା ନିକଟରେ ଆତ୍ମସମର୍ପଣ କରିଥିବା କହିଛି ଆତଙ୍କବାଦୀ ଏହସାନୁଲ୍ଲା ।

ଏହି ଚୁକ୍ତିକୁ ସେ ତିନି ବର୍ଷ ପର୍ଯ୍ୟନ୍ତ ପାଳନ କରିଥିବା କହିଛି । ମାତ୍ର ସେନା ତା ସହ କରିଥିବା ଚୁକ୍ତିକୁ ପାଳନ କରିନାହିଁ । ଫଳରେ ସେ ସେନା କବଳରୁ ଖସି ପଳାଇ ଆସିଛି ବୋଲି ଅଡିଓ କ୍ଲିପରେ କହିଛି । ଏହସାନୁଲ୍ଲା କେଉଁଠାରୁ ଏହି ଅଡିଓ କ୍ଲିପ ଜାରି କରିଛି ସେ ସମ୍ପର୍କରେ କିଛି କହିନାହିଁ । ମାତ୍ର ନିଜ ବନ୍ଦୀ ଖବରକୁ ନେଇ ଖୁବଶୀଘ୍ର ଏକ ବିସ୍ତୃତ ବୟାନ ଜାରି କରିବ ବୋଲି କହିଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ବର୍ଷ ୨୦୧୨ରେ ପାକିସ୍ତାନର ସ୍ବତ୍ ଘାଟିରେ ମହିଳା ଶିକ୍ଷା ଅଭିଯାନ ଚଳାଇଥିବା କାରଣରୁ ୨୨ ବର୍ଷୀୟ ମାଲାଲାଙ୍କୁ ଗୁଳି ମାଡ କରାଯାଇଥିଲା ।