ହସ୍ପିଟାଲରେ ଆତଙ୍କବାଦୀ ଆକ୍ରମଣ; ସୁରକ୍ଷାକର୍ମୀ ମୃତ: ଆରଏସଏସ ନେତା ଗୁରୁତର

ଜାମ୍ମୁ: ଜାମ୍ମୁ-କାଶ୍ମୀରର ଏକ ହସ୍ପିଟାଲରେ ମଙ୍ଗଳବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଜଣେ ଆରଏସଏସ ନେତାଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିବାବେଳେ ଏଥିରେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଆରଏସଏସ ନେତା ଚନ୍ଦ୍ରକାନ୍ତ ଶର୍ମା ଆହତ ହୋଇଛନ୍ତି। ଜାମ୍ମୁ-କାଶ୍ମୀରର କିସ୍ତୱାର ହସ୍ପିଟାଲରେ ମଙ୍ଗଳବାର ଏହି ଘଟଣା ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ, ମଙ୍ଗଳବାର ଅପରାହ୍ନରେ ଜଣେ ଆତଙ୍କବାଦୀ ବୁର୍ଖା ପିନ୍ଧି ହସ୍ପିଟାଲରେ ପିଶିଥିଲେ। ପରେ ଏକ ବନ୍ଧୁକ ବାହାର କରି ଗୁଳି ଆରଏସଏସ ନେତା ଚନ୍ଦ୍ରକାନ୍ତ ଏବଂ ତାଙ୍କ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା କରାଯାଇଥିଲା। ଚିକିତ୍ସା ସମୟରେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ସମ୍ପୃକ୍ତ ଆତଙ୍କବାଦୀ ହସ୍ପିଟାଲରୁ ଫେରାର ହୋଇଯାଇଥିଲେ।