ଆତଙ୍କବାଦୀଙ୍କ ଟାର୍ଗେଟରେ ଜାମ୍ମୁ-କାଶ୍ମୀର ଉପ ରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ

ଶ୍ରୀନଗର:ଜାମ୍ମୁ-କାଶ୍ମୀରରୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର ପରଠୁ ଉପତ୍ୟକାରେ ଅଶାନ୍ତର ବାତାବରଣ ସୃଷ୍ଟି କରିବା ଲାଗି ପାକ୍ ପ୍ରାୟୋଜିତ ଆତଙ୍କବାଦୀ ରୀତିମତ ଚେଷ୍ଟା ଚଳାଇଛନ୍ତି। ଏହା ସହିତ ଦେଶରେ ବଡ଼ ଧରଣର ଆକ୍ରମଣ ଲାଗି ଯୋଜନା ପ୍ରସ୍ତୁତିରେ ଜୁଟିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ସହିତ ଦେଶର ଅନେକ ବିଶିଷ୍ଟ ବ୍ୟକ୍ତି ଆତଙ୍କବାଦୀଙ୍କ ଟାର୍ଗେଟରେ ଅଛନ୍ତି। ଏହି କ୍ରମରେ ଜାମ୍ମୁ ଓ କାଶ୍ମୀର ଉପରାଜ୍ୟପାଳ ତଥା ଓଡ଼ିଆ ଆଇଏଏସ ଗିରୀଶ ମୁର୍ମୁ ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟରେ ଅଛନ୍ତି। ଏନେଇ ଜାମ୍ମୁ-କାଶ୍ମୀର ପୋଲିସକୁ ଅବଗତ କରାଇଛି ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି)। ଗତ କିଛି ଦିନ ଧରି ଆତଙ୍କବାଦୀମାନେ ଯୋଜନା କରୁଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୫ରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ରାଜ୍ୟ ପୁନଗର୍ଠନ ପୂର୍ବକ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର ଓ ଲଦାଖ ଅକ୍ଟୋବର ୩୧ରେ ଅସ୍ଥିତ୍ଵକୁ ଆସିଛନ୍ତି। ଜାମ୍ମୁ-କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଥମ ଉପ ରାଜ୍ୟପାଳ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଗୁଜରାତ କ୍ୟାଡରର ବରିଷ୍ଠ ଆଇଏଏସ ତଥା ଓଡ଼ିଶା ଜନ୍ମିତ ଗିରୀଶ ଚନ୍ଦ୍ର ମୁର୍ମୁ। ସେ ଅକ୍ଟୋବର ୩୧ରେ ଉପ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ। 

ଜାମ୍ମୁ-କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳକୁ ବିକାଶର ମାର୍ଗରେ ନେବା ଗିରୀଶଙ୍କ  ଲାଗି ସବୁଠୁ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ଆତଙ୍କବାଦୀଙ୍କ ଟାର୍ଗେଟରେ ଆସିବା ପରେ ତାଙ୍କର ସୁରକ୍ଷା ବଢାଇ ଦିଆଯାଇଛି। ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା ନେଇ ଗୁଇନ୍ଦା ତଥ୍ୟ ମିଳିବା ପରେ ସେନା ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।