କୋରୋନା ପାଇଁ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ପରିବାରକୁ ମିଳିବ ୧ ହଜାର ଟଙ୍କା

ଭୁବନେଶ୍ୱର: କୋରୋନାକୁ ଦୃଷ୍ଟିରେ ରଖି ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ପରିବାରକୁ ୧ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ।

କରୋନା ପାଇଁ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ପରିବାରକୁ ଏକ ହଜାର ଟଙ୍କା ଲେଖାଏ ସହାୟତା ମିଳିବ ବୋଲି ଗତ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ସମସ୍ତ ହିତାଧିକାରୀ ଏହି ଅର୍ଥ ପାଇବେ। ଏହି ଅର୍ଥ ବଂଟନ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି । ଗତକାଲି ବିଭାଗୀୟ ସଚିବ ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଅର୍ଥ ବଂଟନ ତୁରନ୍ତ ଆରମ୍ଭ କରିବା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଏବେ ମୋଟ୍ ହିତାଧିକାରୀଙ୍କ ସଂଖ୍ୟା ୯୪,୧୫,୦୮୩। ଏହା ବାଦ୍ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ ୧,୩୬,୬୧୨ ଜଣ ନୂଆ ହିତାଧିକାରୀ ତାଲିକାଭୁକ୍ତ ହୋଇଛନ୍ତି । ସେମାନଙ୍କୁ ମଧ୍ୟ ଏକ ହଜାର ଟଙ୍କା ଲେଖାଏ ସହାୟତା ମିଳିବ। ଏ ବାବଦକୁ ମୋଟ୍ ୯୫୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବିଭାଗ ଆକଳନ କରାଯାଇଛି। ପ୍ରତିଦିନ କେତେ ପରିମାଣର ଅର୍ଥ ବଂଟାଗଲା, ତାହାର ବିବରଣୀ ଜିଲ୍ଲା ଯୋଗାଣ ଅଧିକାରୀ ବିଭାଗକୁ ଜଣାଇବେ।