ତେଲେଙ୍ଗାନାର ସରକାର ଭାଙ୍ଗିଦେଲେ କେସିଆର୍: କେସିଆରଙ୍କ ପରେ କିଏ ?

ତେଲେଙ୍ଗା : କେସିଆର୍ ନେଲେ ବୋଲ୍ଡ ଷ୍ଟେପ୍ । ଆଗୁଆ ଭାଙ୍ଗିଦେଲେ ସରକାର । ଏବେ ସେ ତେଲେଙ୍ଗାନାର କେୟାର୍ ଟେକର୍ ଚିଫ୍ ମିନିଷ୍ଟର୍ । କାହିଁକି କେସିଆର୍ ଏଭଳି ପଦକ୍ଷେପ ନେଲେ, କଣ ରହିଛି ଭିତିରି ଉଦ୍ଦେଶ୍ୟ ? ସେପଟେ କେସିଆରଙ୍କ ପରେ କିଏ, ନବୀନ ନେବେ କି ସେଭଳି ପଦକ୍ଷେପ ? ସରକାର ଭାଙ୍ଗିଦେଲେ କେସିଆର୍ । ବହୁ ଦିନ ହେବ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଶୁଭ ସଂଖ୍ୟା ୬କୁ ନଜରରେ ରଖି ସରକାର ଭାଙ୍ଗିଦେଲେ କେ. ଚନ୍ଦ୍ରଶେଖର ରାଓ । କେସିଆର୍ ଏବେ ତେଲେଙ୍ଗାନାର କେୟାର୍ ଟେକର୍ ଚିଫ୍ ମିନିଷ୍ଟର୍ । ଆଉ ତାଙ୍କ କ୍ୟାବିନେଟ୍ ମଧ୍ୟ କେୟାର୍ ଟେକର୍ । ରାଙ୍ଗାରେଡି ଜିଲ୍ଲାରେ ବିଶାଳ ଦଳୀୟ ରାଲିରେ କେସିଆର୍ ସରକାର ଭାଙ୍ଗିଦେବା ନେଇ ଘୋଷଣା କରିବା ପରେ ରାଜ୍ୟପାଳ ଇ. ଏସ୍. ଏଲ୍. ନରସିଂହନଙ୍କୁ ଭେଟିଥିଲେ । ଆଉ କେସିଆରଙ୍କ ଅନୁମୋଦନକୁ ଗ୍ରହଣ କରିଛନ୍ତି ରାଜ୍ୟପାଳ ।

 ୨୦୧୪ ଲୋକସଭା ନିର୍ବାଚନ ସହ ହୋଇଥିଲା ତେଲେଙ୍ଗାନା ବିଧାନସଭା ନିର୍ବାଚନ । ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ପରେ ପ୍ରଥମ ନିର୍ବାଚନରେ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢ଼ିଥିଲେ ତେଲେଙ୍ଗାନା ରାଷ୍ଟ୍ର ସମିତି ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ । ତେବେ କାହିଁକି କେସିଆର୍ ଏଭଳି ନିଷ୍ପତ୍ତି ନେଲେ ? ସାଧାରଣ ନିର୍ବାଚନକୁ ଆଉ ମାସ କେଇଟା ବାକିଥିବା ବେଳେ ସାରା ଦେଶରେ ଏକକ ନିର୍ବାଚନ ଚର୍ଚ୍ଚା ଜୋର୍ ଧରିଛି । ଏଭଳି ସ୍ଥିତିରେ କେସିଆରଙ୍କ ସରକାର ଭାଙ୍ଗିଦେବା ପଛର ଉଦ୍ଦେଶ୍ୟ କଣ ? ହଁ, ଉଦ୍ଦେଶ୍ୟ ଏଠି ସମ୍ପୂର୍ଣ୍ଣ ଆଞ୍ଚଳିକ ଏବଂ ସମ୍ପୂର୍ଣ୍ଣ ଦଳୀୟ । ତେଲେଙ୍ଗାନାରେ ଟିଆରଏସର ଏବେ ବି ଭଲ ହୋଲ୍ଡ ରହିଛି । ଯାହାକୁ ବଜାୟ ରଖିବାକୁ ଚାହୁଁଛନ୍ତି କେସିଆର୍ । ସାଧାରଣ ନିର୍ବାଚନ ସହ ବିଧାନସଭା ନିର୍ବାଚନ ହେଲେ ଦଳ, ନିଜ ହୋଲ୍ଡ ଉପରେ ସେତେଟା ଫୋକସ୍ କରିପାରିବନି । ଯେଉଁଥି ପାଇଁ ରାଜ୍ୟରେ ଆଗୁଆ ନିର୍ବାଚନ କରାଇବାକୁ ଚାହିଁଛନ୍ତି କେସିଆର୍ । ଆଉ ରାଜ୍ୟପାଳଙ୍କୁ ଭେଟି ଫେରିବା ପରେ ସାମ୍ବାଦିକ ସମ୍ମିଳନୀରେ ପୂରା ନିର୍ବାଚନୀ ଭାଷଣ ଦେଇଛନ୍ତି ।

ଏବେ ପ୍ରଶ୍ନ ଉଠୁଛି କେସିଆରଙ୍କ ପରେ କିଏ ? ନବୀନ ନେବେ କି କେସିଆରଙ୍କ ଭଳି ପଦକ୍ଷେପ ? ଆଗୁଆ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ ଥିବା ଗତକାଲି ନିର୍ବାଚନ କମିଶନଙ୍କୁ ଭେଟି କହିଥିଲେ ଦଳର ସାଂସଦ ପିନାକୀ ମିଶ୍ର । ତେଣୁ ତେଲେଙ୍ଗାନା ଭଳି ଓଡ଼ିଶାକୁ ନେଇ ଚର୍ଚ୍ଚା ହେବା ସ୍ବାଭାବିକ । ଏଭଳି ସ୍ଥିତିରେ ବିଜେଡି ଏଭର୍ ରେଡିର ସିଗନାଲ୍ ଦେଉଥିବା ବେଳେ ବୁଲେଇ ବଙ୍କେଇ ଚ୍ୟାଲେଞ୍ଜ ମାରିଛି ବିଜେପି । ସେପଟେ ତେଲେଙ୍ଗାନା ସରକାର ଭାଙ୍ଗିବା ପଛରେ ବିଜେପିର ହାତ ଥିବା ଅଭିଯୋଗ କରିଛି କଂଗ୍ରେସ । ତେବେ ଓଡ଼ିଶା କ୍ଷେତ୍ରରେ ଦଳ ପ୍ରସ୍ତୁତ ଥିବା କହିଛି ।

କେସିଆର୍ ସରକାର ଭାଙ୍ଗି ଦେଇଥିବା ବେଳେ ସମ୍ବିଧାନର ନିୟମ ଅନୁୟାୟୀ, ୬ ମାସ ଭିତରେ ନିର୍ବାଚନ ହେବ । ଆଉ ଯଦି ତା ଭିତରେ ସାଧାରଣ ନିର୍ବାଚନ ହୋଇଯାଏ, କେସିଆରଙ୍କ ସରକାର ଭାଙ୍ଗିଦେବା ଉଦ୍ଦେଶ୍ୟ ପୂରଣ ହେବ ତ ?