ରାଜ୍ୟରେ ଆସିବ ନୂଆ ଟେଲି ମେଡିସିନି ନୀତି : ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପ୍ରକ୍ରିୟା ତ୍ୱରାନ୍ୱିତ

ଭୁବନେଶ୍ୱର: ରାଜ୍ୟ ସରକାର ଖୁବ୍‍ଶୀଘ୍ର ନୂତନ ଟେଲିମେଡିସିନି ନୀତି ଆଣିବାକୁ ଯାଉଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ନିର୍ଦ୍ଦେଶକ୍ରମେ ବିଭାଗ ପକ୍ଷରୁ ରୋଗୀଙ୍କୁ ଚିକିତ୍ସାସେବାକ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ, ଉନ୍ନତ ଯନ୍ତ୍ରପାତି ଏବଂ ବିଶେଷଜ୍ଞ ଚିକିତ୍ସକଙ୍କ ସେବା ଯୋଗାଇବା ଦିଗରେ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ରାଜ୍ୟରେ ଟେଲି ମେଡିସିନି କାର୍ଯ୍ୟକାରିତା ନେଇ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା କରିଥିବା ସମୀକ୍ଷା ବୈଠକରୁ ଏହି ସୂଚନା ମିଳିଛି । କଟକ ସ୍ଥିତ ଏସ୍‍ସିବି ମେଡିକାଲ କଲେଜରେ ଟେଲିମେଡିସିନିର ନୋଡାଲ ସେଣ୍ଟର ଥିବାବେଳେ ନୂତନ ନୀତି କାର୍ଯ୍ୟକାରୀ ହେଲେ ଏହାକୁ ରାଜ୍ୟର ଅନ୍ୟାନ୍ୟ ଚିକିତ୍ସାଳୟକୁ ସମ୍ପ୍ରସାରିତ କରାଯାଇ ପାରିବ । ବୈଠକରେ ଓଡିଶା ଟେଲି ମେଡିସିନି ନେଟୱାର୍କର ବର୍ତ୍ତମାନ ସ୍ଥିତି ସମେତ ଇ-ଆସିୟୁ ଏବଂ ଭାରତ ସଞ୍ଚାର ନିଗମର ଯୋଗାଯୋଗ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା । ଟେଲି ମେଡିସିନି କାର୍ଯ୍ୟକାରିତା ଫଳରେ ୨୦୧୭ ଏବଂ ୨୦୧୮ ମସିହାରେ ରୋଗୀଙ୍କର ୪କୋଟି ଟଙ୍କାରୁ ଅଧିକ ପକେଟ ଅର୍ଥ ବଞ୍ଚିଯାଇଛି । ନିଷ୍ପତ୍ତି ଅନୁଯାୟୀ ଟେଲି ମେଡିସିନି ନେଟୱାର୍ଡକୁ ସମସ୍ତ ସରକାରୀ ମେଡିକାଲ ଓ ଡାକ୍ତରଖାନା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ କାର୍ଯ୍ୟକାରୀ ହେଉଥିବା ୱେଲନେସ୍‍ ସେଣ୍ଟର ସହିତ ଯୋଡିଦିଆଯିବ । ଏହା ଫଳରେ ଗାଁ ଗହଳରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀମାନେ ସିଧାସଳଖ ବିଶେଷଜ୍ଞ ଚିକିତ୍ସକଙ୍କ ସେବା ପାଇପାରିବେ । ଏତ୍‍ଦବ୍ୟତିତ ସମସ୍ତ ମେଡିକାଲ କଲେଜରେ ଇ-କ୍ଲାସ ରୁମ୍‍ ବ୍ୟବସ୍ଥା ଆରମ୍ଭ ହେବ । ଏଥିପାଇଁ ଆବଶ୍ୟକ ପଡୁଥିବା ମାନବସମ୍ବଳ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି । ଟେଲିମେଡିସିନି କାର୍ଯ୍ୟକାରିତା ଲାଗି ଇଣ୍ଟରନେଟ୍‍ ଅତ୍ୟନ୍ତ ଜରୁରୀ ହୋଇଥିବା ଯୋଗୁଁ ନିରବଚ୍ଛିନ୍ନ ବେଗଗାମୀ ଇଣ୍ଟରନେଟ୍‍ ପାଇଁ ଅପ୍ଟିକାଲ ଫାଇବର ସଂଯୋଗ ଦେବାକୁ ବିଏସ୍‍ଏନ୍‍ଏଲ୍‍ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି । ଉକ୍ତ ବୈଠକରେ ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ଓଡିଶା ଟେଲି ମେଡିସିନି ଅବୈତନିକ ପରାମର୍ଶଦାତା ଡାକ୍ତର ପ୍ରଫେସର ବି.ଏନ୍‍.ମହାନ୍ତି ଏବଂ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।