ହାଇଦ୍ରାବାଦ ଡାକ୍ତରାଣୀ ହତ୍ୟା ମାମଲା : ଅପରାଧ ଘଟାଇବା ପୂର୍ବରୁ ତାଙ୍କୁ ବଳପୂର୍ବକ ମଦ ପିଆଇଥିଲେ ଅପରାଧୀ

ହାଇଦ୍ରାବାଦ : ହାଇଦ୍ରାବାଦରେ ହୋଇଥିବା ଡାକ୍ତରାଣୀ ଦୁଷ୍କର୍ମ ମାମଲାରେ ଆଉ କେତେକ ନୂଆ ତଥ୍ୟ ସାମନାକୁ ଆସିଛି । ଅଭିଯୁକ୍ତମାନେ ତାଙ୍କୁ ଦୁଷ୍କର୍ମ କରିବା ପୂର୍ବରୁ ମୃଦୁ ପାନୀୟରେ ମଦ ମିଶାଇ ବଳପୂର୍ବକ ତାଙ୍କୁ ପିଆଇଥିଲେ । ପୁଲିସ ସୁତ୍ରରୁ ପ୍ରକାଶ ଯେ ଅଭିଯୁକ୍ତମାନେ ସମସାବାଦ ଟୋଲ ପ୍ଲାଜା ନିକଟରେ ଥିବା ତୋଣ୍ଡୁପାଲୀ ଗାଁରୁ ମଦ ଓ କିଛି ଖାଦ୍ୟସାମଗ୍ରୀ କିଣିଆଣିଥିଲେ । ସେମାନେ ନିଜେ ମଦ ପିଇବା ସହ ମୃତା ଡାକ୍ତରାଣୀଙ୍କୁ ବଳପୂର୍ବକ ପିଆଇଥିଲେ । ଏହା ପରେ ସେମାନେ ଅପରାଧ ଘଟାଇଥିଲେ । ଅପରାଧୀମାନେ ଦୁଷ୍କର୍ମ କରିବାବେଳେ ପୀଡିତାଙ୍କ ମୁହଁକୁ ଘୋଡାଇ ରଖିଥିବାରୁ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପୁଲିସ ତଦନ୍ତରୁ ଜଣାପଡିଛି ।

ଗିରଫ ଅଭିଯୁକ୍ତମାନଙ୍କୁ ତେଲେଙ୍ଗାନାର ସାଦନଗରର ଏକ କୋର୍ଟ ଦୁଇ ସପ୍ତାହ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି । ଶୁକ୍ରବାରଦିନ ସାଇବରାବାଦ ପୁଲିସ ଏହି ୪ ଅଭିଯୁକ୍ତ ମହମ୍ମଦ ଆରିଫ, ଜୋଲୁ ଶିବା, ଜୋଲୁ ନବୀନ ଓ ଚିନ୍ତାକୁଣ୍ଡା ଚେନ୍ନାକେଶବଲୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣାକୁ ନେଇ ସାରା ଦେଶରେ ପ୍ରବଳ ପ୍ରତିବାଦ ଦେଖିବାକୁ ମିଳିଛି ।