ସାରା ରତି ଉଜାଗରରେ ଧାରଣା ଦେଲେ ଶିକ୍ଷକ

ଭୁବନେଶ୍ୱର : ନୋସନାଲ ଜିଆଇଏ ବ୍ୟବସ୍ଥା ଲାଗୁ କରିବା ସମେତ ୭ ଦଫା ଦାବି ପୂରଣ ପାଇଁ ମିଳିତମଞ୍ଚ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି । ଆଜିକୁ ୫ ଦିନ ହେବ ଗାନ୍ଧୀମାର୍ଗରେ ଶତାଧିକ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଅହୋରାତ୍ର ଧାରଣାରେ ବସି ରହିଛନ୍ତି । ଦାବି ପୂରଣ ଲାଗି ସରକାରଙ୍କୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ମହଲତ ଦେଇଥିବା ବେଳେ ଆସନ୍ତାକାଲି ପୁଣି ବିଶାଳ ମହାସମାବେଶର ଡାକରା ଦିଆଯାଇଛି ବୋଲି ମିଳିତମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା ସୂଚନା ଦେଇଛନ୍ତି । ଶ୍ରୀ ମହାଲା କହିଛନ୍ତି ଯେ, ନୋସନାଲ ଜିଆଇଏ ବ୍ୟବସ୍ଥାରେ ଶିକ୍ଷକ/ଅଧ୍ୟାପକମାନେ ଯେଉଁ ଦିନଠାରୁ ସରକାରୀ ନିୟମ ଅନୁଯାୟୀ ଯୋଗ୍ୟ ବିବେଚିତ ହେଲେ ସେହିଦିନଠାରୁ ତାଙ୍କୁ ବରିଷ୍ଠତା ଭିତ୍ତିରେ ପୂର୍ଣ୍ଣଅନୁଦାନ ସହ ଚାକିରିସର୍ତ୍ତ ଓ ଅବସରକାଳୀନ ସୁବିଧା ସୁଯୋଗ ମିଳିବା କଥା । ଏହି ଦାବି ପୂରଣ ଲାଗି ଗତ ମାର୍ଚ୍ଚ ୧୮ରେ ମିଳିତମଞ୍ଚ ପକ୍ଷରୁ ଆନ୍ଦୋଳନ ହୋଇଥିଲା । ଏପ୍ରିଲ ୧୯ରେ ମୁଖ୍ୟ ଶାସନ ସଚିବ ମିଳିତମଞ୍ଚର ପ୍ରତିନିଧିଙ୍କ ସହ ଆଲୋଚନା କରି ନୋସନାଲ ୩ ମାସ ମଧ୍ୟରେ ଜିଆଇଏ ବ୍ୟବସ୍ଥା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ୪ମାସ ବିତିଯାଇଥିଲେ ହେଁ ପ୍ରତିଶ୍ରୁତି ପାଳନ କରିବାରେ ସରକାର ସକ୍ଷମ ହୋଇପାରିଲେ ନାହିଁ । ତେଣୁ ମଞ୍ଚ ଗତ ୧୬ତାରିଖରୁ ପୁଣି ଅହୋରାତ୍ର ଆନ୍ଦୋଳନକୁ ଓହ୍ଲାଇଛି ।

ଏଥର ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ ଏବଂ ଆବଶ୍ୟକ ପଡ଼ିଲେ ସ୍କୁଲ କଲେଜରେ ପାଠପଢ଼ା ବନ୍ଦ କରାଯିବ ବୋଲି ଶ୍ରୀ ମହାଲା ଚେତାବନୀ ଦେଇଛନ୍ତି । ସେହିପରି ୬୬୨ ବର୍ଗ କଲେଜ ଶିକ୍ଷକ ସଂଘର ସଭାପତି ଗୋଲକ ନାୟକ କହିଛନ୍ତି ଯେ, ଗତ ମାର୍ଚ୍ଚରେ ମିଳିତମଞ୍ଚ ଅନୁଦାନ ଆଇନରୁ ବ୍ୟକ୍ତିଗତ ସତ୍ୟପାଠ ଉଚ୍ଛେଦ, ବ୍ଲକ୍ଗ୍ରାଣ୍ଟ ବିଦ୍ୟାଳୟର ଅନୁଦାନ ବିଜ୍ଞପ୍ତି ପ୍ରକାଶ, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ସମାନ ଚାକିରି ସର୍ତ୍ତାବଳୀ ପ୍ରଦାନ, ସପ୍ତମ ବେତନ କମିଶନଙ୍କ ସୁପାରିସ ଅନୁଯାୟୀ ଦରମା ପ୍ରଦାନ, ନିଯୁକ୍ତି ନିୟମରେ ସ୍ଥାନୀୟ ବିଜ୍ଞାପନକୁ ଗ୍ରହଣ କରିବା, ରିସାଇନ୍ଡ ଅର୍ଡରକୁ ଉଚ୍ଛେଦ କରିବା, ଚାକିରି କାଳକୁ ୬୦ ବର୍ଷରୁ ୬୨ ବର୍ଷକୁ ବୃଦ୍ଧି ଦାବିରେ ଆନ୍ଦୋଳନ ଜାରି ରହିଛି । ସେ ସମୟରେ ମଧ୍ୟ ଏକ ିୟରିଂ କମିଟି ବୈଠକ ସଚିବାଳୟରେ ବସିଥିଲା । ବୈଠକରେ ଉଚ୍ଚଶିକ୍ଷା ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଉଭୟ ବିଭାଗର ସଚିବ ଏବଂ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ୧୧ ଜଣ ପ୍ରତିନିଧି ମଣ୍ଡଳୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ବୈଠକରେ ଅବସର ସମୟସୀମା ବୃଦ୍ଧିକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଦାବି ଉପରେ ସରକାରଙ୍କ ସହିତ ସକାରାତ୍ମକ ଆଲୋଚନା ହୋଇଥିଲା । ମାତ୍ର ଯେଉଁ ସବୁ ଦାବି ପୂରଣ ନେଇ ସରକାର ପ୍ରତିଶ୍ରୁତି ଦେଇଥିଲେ ଆଜି ସୁଦ୍ଧା କୌଣସି ଗୋଟିଏ ବି ପୂରଣ ହୋଇପାରିଲା ନାହିଁ । ତଥାପି ବର୍ତ୍ତମାନ ମଞ୍ଚ କେବଳ ନୋସନାଲ ଜିଆଇଏ ପ୍ରଦାନ ଲାଗି ଦାବି କରୁଛି । ଏହି ଦାବି ପୂରଣ ନହେଲେ ଆନ୍ଦୋଳନ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଜାରି ରହିବ । ସେହିପରି ମଞ୍ଚର ସଦସ୍ୟ ପ୍ରକାଶ ଚନ୍ଦ୍ର ଜେନା କହିଛନ୍ତି ଯେ, ଶିକ୍ଷକମାନଙ୍କର ଦାବି ପୂରଣ କରିବାକୁ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ । ନଚେତ ଏହା ସରକାରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ । ସରକାର ଏଭଳି ସମସ୍ୟାର ପୂର୍ଣ୍ଣ ସମାଧାନ ନକଲେ ଆଗାମୀ ଦିନରେ ଯେଉଁ ଭୟଙ୍କର ସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ । ଆଜି ଆୟୋଜିତ ଶିକ୍ଷକଙ୍କ ସଭାରେ ବିଭିନ୍ନ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଠାକୁର ରଞ୍ଜିତ୍ ଦାସ, ବିଜେପିର ରାଜ୍ୟ ଉପସଭାପତି ସମୀର ମହାନ୍ତି, ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାର, କିଷାନ ମଞ୍ଚର ସାଧାରଣ ସଂପାଦକ ସୁରେନ୍ଦ୍ର ବିଶ୍ୱାଳ, ବିଜେପି ଯୁବ ସଦସ୍ୟ ଅଭିଜିତ୍ ମିଶ୍ର, ପ୍ରାକ୍ତନ ଶିକ୍ଷକ ନେତା ରାଧାଶ୍ୟାମ ପଣ୍ଡା ପ୍ରମୁଖ ଯୋଗ ଦେଇ ଶିକ୍ଷକଙ୍କ ସମସ୍ୟାର ସମାଧାନ ଲାଗି ସରକାର ତୁରନ୍ତ ପଦକ୍ଷେପ ନେବାକୁ କହିଥିଲେ । ଆଜିର ଆନ୍ଦୋଳନରେ ମିଳିତମଞ୍ଚ ପକ୍ଷରୁ ବିନୋଦ ବିହାରୀ ପାଣିଗ୍ରାହୀ, ଗଗନ ବେଉରା, ସତ୍ୟନାରାୟଣ ତ୍ରିପାଠୀ, ଡ. ଅଟଳ ବିହାରୀ ବଳ, ଅକ୍ଷୟ କୁମାର ମିଶ୍ର, ପ୍ରେମାନନ୍ଦ ଜେନା ପ୍ରମୁଖ ବହୁ ଶିକ୍ଷକ ନେତା ଉପସ୍ଥିତ ଥିଲେ ।